ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବନାଞ୍ଚଳରେ ବର୍ତ୍ତମାନ ତାଳ ଗଛ ଲଗାଯାଉଛି। କିପରି ରାଜ୍ୟରେ ଅଧିକ ତାଳ ଗଛ ଲଗାଯାଇପାରିବ ସେନେଇ ବ୍ୟାପକ ପଦକ୍ଷେପ ନେବାକୁ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଡିଏଫ୍ଓମାନଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ତାଳ ମଞ୍ଜିକୁ ଜଙ୍ଗଲରେ ଲଗାଉଛନ୍ତି। ତାଳ ଗଛ ଦ୍ୱାରା ଅନେକ ସମୟରେ ବଜ୍ରପାତଜନିତ ମୃତ୍ୟୁ ରୋକିଥାଏ। ଏହା ସହିତ ହାତୀମାନଙ୍କର ଖାଦ୍ୟ ମଧ୍ୟରୁ ତାଳ ଏକ ପ୍ରମୁଖ ଖାଦ୍ୟ ହୋଇଥିବାରୁ ଏହା ମଧ୍ୟ ସେମାନଙ୍କୁ ଜଙ୍ଗଲ ମଧ୍ୟରେ ରଖିବା ପାଇଁ ସହାୟକ ହେବ। ଏଭଳି କାରଣ ପାଇଁ ବନ ବିଭାଗ ପକ୍ଷରୁ ତାଳ ଗଛ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି।
ବିଜୁଳି ମାରିବା ପରେ ଉଚ୍ଚତାଥିବା ଜିନିଷ ଅଧିକ ପ୍ରଭାବିତ ହୋଇଥାଏ। ଯେହେତୁ ତାଳ ଗଛ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ଯାଇଥାଏ। ତେଣୁ ଏହି ଗଛ ବିଜୁଳିକୁ ନିଜ ଆଡ଼କୁ ବିଜୁଳିକୁ ଟାଣି ଲୋକଙ୍କୁ ସୁରକ୍ଷା ଦେଇଥାଏ। ତେଣୁ ବନ ବିଭାଗ ପକ୍ଷରୁ ସମସ୍ତ ଜଙ୍ଗଲ ଜମିର ପରିପାର୍ଶ୍ବ, ରାସ୍ତାଘାଟ, ଖୋଲାପଡ଼ିଆ ଇତ୍ୟାଦିରେ ତାଳ ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଳଗଛ ପରିବେଶ ସୁରକ୍ଷା ସହ ମୃତ୍ତିକା କ୍ଷୟରୁ ମଧ୍ୟ ସୁରକ୍ଷା ଦେଇଥାଏ। ଏହି ଗଛ ମରୁଡ଼ି ବା କମ ପାଣିରେ ମଧ୍ୟ ବଞ୍ଚି ରହିବାର କ୍ଷମତା ରଖିଥାଏ। ତେଣୁ ତାଳ ଗଛର ରକ୍ଷଣାବେକ୍ଷଣ ପାଇଁ ବିଶେଷ ଦୃଷ୍ଟିର ଆବଶ୍ୟକତା ପଡ଼ି ନ ଥାଏ। ଗତ ବର୍ଷ ତଳେ ପୁରୀ ବନଖଣ୍ଡ ପକ୍ଷରୁ କୋଣାର୍କ ମେରାଇନ ରାସ୍ତାକଡ଼ରେ ତିନି ଥାକିଆ ତାଳ ଗଛ ଲଗାଇବା ପାଇଁ ଯୋଜନା ହାତକୁ ନିଆଯାଇଛି। ରଥଯାତ୍ରାର ଚାହିଦା ମେଣ୍ଟାଇବା ପାଇଁ ପୁରୀ ବନଖଣ୍ଡ ପ୍ରାୟ ୩୦ ହଜାର ତାଳମଞ୍ଜି ରୋପଣ ପାଇଁ ମୁଖ୍ୟ ବନ ସଂରକ୍ଷକଙ୍କ ନିର୍ଦ୍ଦେଶ ପରେ ପୁରୀରେ ଏହି କାର୍ଯ୍ୟ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ରଥ ଉପରକୁ ଠାକୁରଙ୍କୁ ପହଣ୍ଡି ସମୟରେ ତାଳଗଣ୍ଡିରୁ ପ୍ରସ୍ତୁତ ଚାର ବିଜେ କରିବା ପାଇଁ ବ୍ୟବହୃତ ହୋଇଥାଏ। ତେବେ ବର୍ଷ ବର୍ଷ ଧରି ତାଳବଣିଆ ହିଁ ଏହାର ଚାହିଦା ମେଣ୍ଟାଉଥିଲା। ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ପୁରୀ ବନଖଣ୍ଡ ପକ୍ଷରୁ ତାଳ ଚାରା ତଥା ତାଳ ଗଛର ଗଣ୍ଡି ଯୋଗାଇଦିଏ। ମାତ୍ର ଏବେ ତାଳବଣିଆ ତାଳ ଗଛ ଶୂନ୍ୟ ହୋଇଯାଇଥିବାରୁ ଅନ୍ୟ ଅଞ୍ଚଳରୁ ଏହାକୁ ଅଣାଯାଉଛି।
ତାଳ ଗଛ ସୃଷ୍ଟି ପାଇଁ ତାଳ ମଞ୍ଜି ମୁଖ୍ୟ ଆବଶ୍ୟକତା ହୋଇଥିବା ବେଳେ ସମ୍ପ୍ରତି ପାଚିଲା ତାଳ ବହୁ ପରିମାଣରେ ଗଛ ନିକଟରେ ମହଜୁଦ ରହିଛି। ତେଣୁ ଏହାକୁ ସଂଗ୍ରହ କରିବା ସହ ତାଳ ଗଛ ବ୍ୟାପକ ପରିମାଣରେ ରୋପଣ କରାଯାଉଛି। ଅନୁଗୁଳର ପୋକୁଣ୍ଡାରେ ୨ ହଜାର ତାଳ ଗଛ ଲଗାଇବା ପାଇଁ ତାଳ ମଞ୍ଜ ଜଙ୍ଗଲରୋ ପୋତା ଯାଇଥିବା ବେଳେ ଭୁବନେଶ୍ୱର ମଧ୍ୟ ତାଳ ଗଛ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।