ପୁରୀ: ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦେଖି ଖୁସି ବ୍ୟକ୍ତ କରୁଛନ୍ତି।ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଶ୍ରୀଜଗନ୍ନାଥ ଚେତନା ଓ ଭାବଧାରା ଆଧାରରେ ସମଗ୍ର ରାଜ୍ୟରେ ପରିଭ୍ରମଣ କରିଥିଲା ଅର୍ପଣ ରଥ। ପ୍ରତ୍ୟେକ ବ୍ୟକ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ ଅକ୍ଷତ, ଗୁଆ। ସେତେବେଳେ ସରକାର ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ଏହି ପ୍ରକଳ୍ପ ପରିକ୍ରମଣ କରାଯିବ ବୋଲି ସୂଚନା ଦେଇଥିଲେ। ସେହି ଆଧାରରେ ସୋମବାର ଅର୍ଥାତ ଜାନୁଆରୀ ୨୯ ତାରିଖଠାରୁ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନ ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳର ଜନସାଧାରଣ ଆସିବେ।
ସମସ୍ତ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସଗୁଡିକ ବୀରହରେକୃଷ୍ଣପୁର ଡାହାଣ ପାର୍ଶ୍ବରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିବେ। ସେଠାରୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡ଼ର ବସ୍ ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟରକୁ ନିଆଯିବ। ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯିବ।ଏହି କାର୍ଯ୍ୟରେ ବିଭିନ୍ନ ଅଧିକାରୀ, କର୍ମଚାରୀ, ସୁରକ୍ଷା କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରଥମ ଦିନର କାର୍ଯ୍ୟସୂଚୀ ଅନୁସାରେ ସକାଳ ୯ ଟାରେ କଟକ ମହାନଗର ନିଗମ ଓ ୧୦ଟାରେ କଟକ ଜିଲ୍ଲାର ଅନ୍ୟ ବ୍ଲକ ଅଞ୍ଚଳର ଶ୍ରଦ୍ଧାଳୁ ପହଞ୍ଚିବେ। ସେହିପରି ମୟୂରଭଞ୍ଜ, ବାଲେଶ୍ୱର ସକାଳ ୧୦ ଘଟିକା, ଗଞ୍ଜମ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଦିବା ୧୨ ଘଟିକାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ପଞ୍ଚାୟତରାଜ ବିଭାଗ ଓ ଜିଲ୍ଲା ପ୍ରଶାସନ କ୍ୟାଲେଣ୍ଡର ସହ ନୋଡ଼ାଲ ଅଫିସରମାନଙ୍କୁ ନିୟୋଜିତ କରିଛନ୍ତି ବୋଲି ସୂଚନା ମିଳିଛି।