ଭୁବନେଶ୍ୱର : ସ୍ୱାତକ(ୟୁଜି) ପରେ ଛାତ୍ରଛାତ୍ରୀ ଏଣିକି ସିଧାସଳଖ ପିଏଚଡିରେ ନାମ ଲେଖାଇବେ। ସେମାନଙ୍କ ପାଇଁ ସ୍ୱାତକୋତ୍ତର(ପିଜି) ବାଧ୍ୟତାମୂଳକ ହେବ ନାହିଁ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଏନେଇ ସବିଶେଷ ମାର୍ଗଦର୍ଶିକା ୟୁଜିସି ପକ୍ଷରୁ ଖୁବଶିଘ୍ର ପ୍ରକାଶ ପାଇବ। ୪ ବର୍ଷିଆ ସ୍ନାତକ(ଇଣ୍ଟିଗ୍ରେଟେଡ୍) ପାଠ୍ୟକ୍ରମ ଅଧ୍ୟନ କରୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର ସୂଚନା ଦେଇଛନ୍ତି। ଇଣ୍ଟିଗ୍ରେଟେଡ୍ ୟୁଜିରେ ୧୦ରୁ ୭.୫ ସିଜିପିଏ(କ୍ୟୁମଲେଟିଭ୍ ଗ୍ରେଡ ପଏଣ୍ଟ ଆଭେରେଜ୍) ରଖିଥିବା ଛାତ୍ରଛାତ୍ରୀ ସିଧାସଳଖ ପିଏଚଡିରେ ନାମ ଲେଖାଇ ପାରିବେ। ପିଏଚଡି ପୂର୍ବରୁ ସେମାନଙ୍କୁ ସ୍ନାତକୋତ୍ତର ଅଧ୍ୟୟନ କରିବା ବାଧ୍ୟତାମୂଳକ ହେବ ନାହିଁ।
ସେହିପରି ୭.୫ ସିଜିପିଏରୁ କମ୍ ରଖିଥିବା ଛାତ୍ରଛାତ୍ରୀ ପିଏଚଡି ଅଧ୍ୟୟନ ପାଇଁ ବର୍ଷିକିଆ ପିଜି କୋର୍ସରେ ନାମ ଲେଖାଇବେ। ବର୍ଷିକିଆ ପିଜି କୋର୍ସ ଶେଷ ହେବା ପରେ ସେମାନେ ମଧ୍ୟ ପିଏଚଡି ଅଧ୍ୟୟନ କରିବେ। ପୂର୍ବରୁ ପିଏଚଡି ପାଇଁ ଏମଫିଲର ବାଧ୍ୟତାମୂଳକ ନିୟମ ପରିବର୍ତ୍ତନ କରାଯାଇଥିବାବେଳେ ଏବେ ଆଉ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଇଣ୍ଟିଗ୍ରେଟେଡ୍ ଛାତ୍ରଛାତ୍ରୀଙ୍କ ପିଏଚଡି ଅଧ୍ୟୟନ ନିୟମ ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ। ତେବେ ଏ ସମ୍ପର୍କିତ ସବିଶେଷ ତଥ୍ୟ ଖୁବଶିଘ୍ର ୟୁଜିସି ପକ୍ଷରୁ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ ପ୍ରଫେସର କୁମାର କହିଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଦୁଇ ବର୍ଷ ବଞ୍ଚିବ। ଛାତ୍ରଛାତ୍ରୀ ଏହି ସମୟକୁ ସଠିକ ଭାବେ ଉପେଯାଗ କରିପାରିବେ ବୋଲି ସେ କହିଛନ୍ତି।
ସେହିପରି ବିଶ୍ୱବିଦ୍ୟାଳୟଗୁଡ଼ିକର ୪୦ପ୍ରତିଶତ ସିଟ୍ରେ ପିଏଚଡି ଅଧ୍ୟୟନ ପାଇଁ ପିଲାଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଚୟନ କରାଯିବାକୁ ଥିବାବେଳେ ୬୦ ପ୍ରତିଶତ ସିଟ୍ ବିଭିନ୍ନ ଜାତୀୟ ସ୍ତରର ପ୍ରବେଶିକା ଦ୍ୱାରା ଚୟନ କରାଯିବ। ମାତ୍ର ଇଣ୍ଟିଗ୍ରେଟେଡ୍ ୟୁଜି ଛାତ୍ରଛାତ୍ରୀଙ୍କ ପିଏଚଡି ନାମଲେଖା କ୍ଷେତ୍ରରେ ନେଟ୍(ଜାତୀୟ ଯୋଗ୍ୟତା ପରୀକ୍ଷା) ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ନାମଲେଖା ସମ୍ପର୍କରେ ସବିଶେଷ ମାର୍ଗଦର୍ଶିକା ଖୁବଶିଘ୍ର ୟୁଜିସି ପକ୍ଷରୁ ପ୍ରକାଶ ପାଇବ ବୋଲି ଅଧ୍ୟକ୍ଷ କହିଛନ୍ତି। ଅପରପକ୍ଷେ ୟୁଜିସିର ଏହି ନିୟମକୁ ଶିକ୍ଷାବିତ୍ମାନେ ନାପସନ୍ଦ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଗବେଷଣା ପାଇଁ ଛାତ୍ରଛାତ୍ରୀ ପରିପକ୍ୱ ହେବା ଜରୁରୀ। ସ୍ନାତକ ପରେ ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ନଥା’ନ୍ତି। ତେବେ ଏ ଦିଗରେ ୟୁଜିସି ବିଚାରବିମର୍ଶ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।