୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

ଭୁବନେଶ୍ୱର: ପୁଣି ଥରେ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ। ସୋମବାର ତୈଳ ଦରରେ ବୃଦ୍ଧି ଘଟିବା ସହ ଗତ ୧୦ ଦିନ ମଧ୍ୟରେ ଏହା ହେଉଛି ଚତୁର୍ଥ ବୃଦ୍ଧି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନା କାରଣରୁ ତୈଳ କମ୍ପାନୀଗୁଡ଼ିକ ଉପରେ ଏହି ଚାପ ପଡ଼ିଛି। ନୂଆ ରେଟ୍ ଅନୁଯାୟୀ, ଡିଜେଲ ଦର ଲିଟର ପିଛା ୨.୭୧ ଟଙ୍କା ଏବଂ ପେଟ୍ରୋଲ ଦର ଲିଟର ପିଛା ୨.୬୧ ଟଙ୍କା ବୃଦ୍ଧି ପାଇଛି।

ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଓ ଡିଜେଲ ଦରରେ ବିପୁଳ ବୃଦ୍ଧି ଦେଖିବାକୁ ମିଳିଛି। ଡିଜେଲ ଦର ପ୍ରଥମ ଥର ପାଇଁ ଲିଟର ପିଛା ୧୦୦ ଟଙ୍କା ପାର୍ କରିଛି। ଏଠାରେ ଡିଜେଲ ୧୦୦.୮୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ପେଟ୍ରୋଲ ଦର ୧୦୯.୧୬ ଟଙ୍କାରେ ପହଞ୍ଚିଛି। ସେହିପରି ଦିଲ୍ଲୀରେ ମଧ୍ୟ ଡିଜେଲ ଲିଟର ପିଛା ୯୫.୨୦ ଟଙ୍କା ଏବଂ ପେଟ୍ରୋଲ ୧୦୨.୧୨ ଟଙ୍କାକୁ ବୃଦ୍ଧି ପାଇଛି।

ଗତ ଦୁଇ ସପ୍ତାହରୁ କମ୍ ସମୟ ମଧ୍ୟରେ ଏହା ହେଉଛି ଚତୁର୍ଥ ଦର ବୃଦ୍ଧି। ଏହା ପୂର୍ବରୁ ମେ' ୧୫ରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ ଟଙ୍କା ଲେଖାଏଁ ବୃଦ୍ଧି ପାଇଥିଲା। ପରେ ମେ' ୧୯ରେ ୯୦ ପଇସା ଏବଂ ମେ' ୨୩ରେ ପେଟ୍ରୋଲ ଦର ୮୭ ପଇସା ଓ ଡିଜେଲ ଦର ୯୧ ପଇସା ବଢ଼ିଥିଲା। ଅନ୍ୟପକ୍ଷରେ ଦିଲ୍ଲୀରେ ସିଏନଜି (CNG) ଦର ମଧ୍ୟ କେଜି ପିଛା ୧ ଟଙ୍କା ବଢ଼ିଛି, ଯାହା ଫଳରେ ନୂଆ ଦର ୮୧.୦୯ ଟଙ୍କାରେ ପହଞ୍ଚିଛି। ୧୦ ଦିନ ମଧ୍ୟରେ ସିଏନଜି ଦରରେ ମଧ୍ୟ ଏହା ତୃତୀୟ ବୃଦ୍ଧି ଅଟେ।

ଲଗାତାର ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କିଛି ଲୋକ ଇସ୍ରାଏଲ ଯୁଦ୍ଧକୁ ଏହାର କାରଣ ବୋଲି ମାନୁଥିବା ବେଳେ, ଆଉ କିଛି ଲୋକ ସାଧାରଣ ଜନତାଙ୍କ ଉପରେ ପଡ଼ୁଥିବା ପ୍ରଭାବ କଥା ଉଠାଇ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏସବୁ ମଧ୍ୟରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (BPCL)ର ପୂର୍ବତନ ମାର୍କେଟିଂ ନିର୍ଦ୍ଦେଶକ ସୁଖମଲ କୁମାର ଜୈନ ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ। ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ଉତ୍ତମ ଭାବେ ଇନ୍ଧନର ଯୋଗାଣ କରୁଛନ୍ତି। ପଶ୍ଚିମ ଏସିଆରେ ବିଶେଷକରି ହରମୁଜ୍ ପ୍ରଣାଳୀ ନିକଟରେ ଦେଖାଦେଇଥିବା ଅସ୍ଥିରତା କାରଣରୁ ଅନ୍ତର୍ଜାତୀୟ ବଜାରରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।

About The Author: Madhusudan Das