ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ପାଇଁ ଆସିବ ନୂଆ SOP...

ଭୁବନେଶ୍ୱର: ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ ବୃଦ୍ଧି କରାଯାଇଛି। ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ ଲାଗୁ ହେବ। ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି ୧ ଲକ୍ଷକୁ ମଧ୍ୟ ବୃଦ୍ଧି କରାଯାଇଛି।

ସେ ଆହୁରି ମଧ୍ଯ ସୂଚନା ଦେଇ କହିଛନ୍ତି ଯେ, ପର୍ଯ୍ୟାୟ କ୍ରମେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି। ଶ୍ରୀମନ୍ଦିରରେ ନୀତିକାନ୍ତି ଅଧିକ ନ ଥିବ, ସେହି ସମୟରେ ଗଣତିମଣତି ହେବ। ନୀତିରେ ବାଧା ଓ ଶ୍ରଦ୍ଧାଳୁଙ୍କୁ ଯେଭଳି ଅସୁବିଧା ନ ହେବ ଧ୍ୟାନ ଦେବୁ। ଆଉ ଏକ ନୂଆ SOP ଆସିବ, ପର୍ଯ୍ୟାୟ କ୍ରମେ ଗଣତିମଣତି ହେବ।କୌଣସି ସମୟସୀମା ନୁହେଁ, ତ୍ରୁଟି ଶୂନ୍ୟ ଗଣତିମଣତି ଲକ୍ଷ୍ୟ। ଶ୍ରୀଜିଉଙ୍କର ସ୍ବର୍ଣ୍ଣ ଅଳଙ୍କାରର ଆଉ ଏକ ସେଟ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ଏଥିପାଇଁ ଏକ ଯୋଜନା ଆରମ୍ଭ କରିବୁ, ଶ୍ରଦ୍ଧାଳୁ ଚାହିଁଲେ ଦାନ କରିପାରିବେ ବୋଲି ସେ କହିଛନ୍ତି।

ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ ଦାନ ପାଇଁ ATMରେ ଆସିବ ମେସେଜ। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ATMରୁ ଟଙ୍କା ବାହାର କଲେ ଏକ ମେସେଜ ଆସିବ। ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ କିଛି ଦାନ କରିବାକୁ ଚାହୁଁଛନ୍ତି କି ବୋଲି ମେସେଜ ଆସିବ। ଶ୍ରଦ୍ଧାଳୁ ରାଜି ହେଲେ ତାଙ୍କ କାର୍ଡରୁ ଟଙ୍କା ଦେଇପାରିବେ। ଏନେଇ ଆମେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ ବୋଲି ପ୍ରଶାସକ କହିଛନ୍ତି।

About The Author: Deviprasad Mohanty