ଫୁଲନଖରା : ଡ଼ାକ୍ତରଖାନାରେ ମିଳୁନି ରୋଗୀଙ୍କୁ ରକ୍ତ। ମାତ୍ର ଦଲାଲ ପାଖରେ ଯାହାକୁ ଯେତେ। ଟଙ୍କା ଫିଙ୍ଗିଲେ ଦଲାଲ ଯୋଗାଇ ଦେଉଛି ଯେତେ ଇଚ୍ଛା ସେତେ ରକ୍ତ ପ୍ୟାକେଟ୍। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଫୁଲନଖରା ଛକରେ। ଜଣେ ବ୍ୟକ୍ତି ସେଣ୍ଟ୍ରାଲ୍ ରେଡ୍କ୍ରସ୍ ରକ୍ତଭଣ୍ଡାରର ସିଲ୍ ଥିବା ୬ଟି ପ୍ଲାଟ୍ଲେଟ୍ (ଆର୍ଡିପି) ଆଣି ରୋଗୀ ସମ୍ପର୍କୀୟଙ୍କୁ ବିକ୍ରୟ କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଛି। ସମ୍ପୃକ୍ତ ବ୍ୟକ୍ତିକୁ ପୁଲିସ ଅଟକ ରଖିଛି ଓ ଆର୍ଡ଼ିପିଗୁଡ଼ିକୁ ଜବତ କରିଛି। ଏହି କାରବାରରେ ରକ୍ତଭଣ୍ଡାରର କର୍ମଚାରୀ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ କଟକ ମହାନଦୀବିହାରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ବ୍ୟକ୍ତି ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିବାରୁ ତାଙ୍କର ପ୍ଲାଟ୍ଲେଟ୍ର ଆବଶ୍ୟକତା ରହିଛି ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ରୋଗୀଙ୍କର ଏ-ନେଗେଟିଭ୍ ବ୍ଲଡ୍ ଗ୍ରୁପ୍ ହୋଇଥିବାରୁ ତାଙ୍କ ସମ୍ପର୍କୀୟମାନେ କଟକ ଓ ଭୁବନେଶ୍ୱର ବ୍ଲଡ୍ ବ୍ୟାଙ୍କରେ ଯୋଗାଯୋଗ କରିଥିଲେ। ମାତ୍ର ଉକ୍ତ ବ୍ଲଡ୍ ଗ୍ରୁପର ପ୍ଲାଟଲେଟ୍ ନ ମିଳିବାରୁ ରୋଗୀ ସମ୍ପର୍କୀୟମାନେ ନିରାଶ ହୋଇ ପଡ଼ିଥିଲେ।
ଏହି ସମୟରେ କୌଣସି ସୂତ୍ରରୁ ସେମାନେ ବାପି ନାୟକ ନାମକ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ୬ଟି ପ୍ଲାଟ୍ଲେଟ୍କୁ ୬୦୦୦ ଟଙ୍କାରେ ଯୋଗାଇଦେବ ବୋଲି କହି ୫୦୦୦ ଟଙ୍କା ଅଗ୍ରୀମ ନେଇଥିଲେ ଓ ଦିନ ପ୍ରାୟ ୧୨ଟା ସମୟରେ ଏବି-ପଜିଟିଭ୍ ଲେଖାଥିବା ୬ଟି ପ୍ଲାଟ୍ଲେଟ୍ ପ୍ୟାକେଟ୍ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦେଇଥିଲେ। ମାତ୍ର ଆର୍ଡ଼ିପି ପ୍ୟାକେଟରେ ଏବି-ପଜିଟିଭ୍ ଲେଖାଥିବାରୁ ସେଗୁଡିକୁ ନେବା ପାଇଁ ରୋଗୀ ସମ୍ପର୍କୀୟମାନେ ଅନିଚ୍ଛା ପ୍ରକାଶ କରିଥିଲେ। ତେଣୁ ବାପି ଏହାକୁ ବଦଳାଇ ଫୁଲନଖରାରେ ଏ-ନେଗେଟିଭ ପ୍ଲାଟ୍ଲେଟ ଦେବ ବୋଲି କହିଥିଲେ। ସଂଧ୍ୟା ୫ଟା ସମୟରେ ଫୁଲନଖରା ଛକରେ ବାପି ସେହି ଏବି-ପଜିଟିଭ୍ ପ୍ଲାଟ୍ଲେଟ୍ ପ୍ୟାକେଟ୍ ଉପରେ ଏ-ନେଗେଟିଭ୍ ଲେଖି ପ୍ଲାଟ୍ଲେଟ୍ ନେବାକୁ ଆସିଥିବା ଦୀପ୍ତିରଞ୍ଜନଙ୍କୁ ଦେଇଥିଲା। ପ୍ୟାକେଟ୍ ଉପରେ ଏବି-ପଜିଟିଭ୍ ଉପରେ ଏ-ନେଗେଟିଭ୍ ଆଉ ଗୋଟିଏ କାଳିରେ ଲେଖା ହୋଇଥିବାରୁ ଦୀପ୍ତିରଞ୍ଜନ ରକ୍ତ ନେବାକୁ ମନା କରି ଦେଇଥିଲେ। ବାପି ଫୁଲନଖରା ଅଞ୍ଚଳର ମାନସ ନାମଧାରୀ ବ୍ୟକ୍ତିଙ୍କ ନିକଟକୁ ଫୋନ୍ କରି ଏ ବିଷୟରେ ଜଣାଇଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ସଦର ପୁଲିସ ଉକ୍ତ ସ୍ଥାନରେ ପହଞ୍ଚି ପ୍ଲାଟ୍ଲେଟ୍ ଗୁଡିକ ଜବତ କରିବା ସହ ବାପି ନାୟକ ଧରି ଥାନାକୁ ନେଇ ଯାଇଥିଲେ। ରୋଗୀଟିଏ ଦୀର୍ଘସମୟ ଧରି ଲାଇନ୍ରେ ଛିଡା ହେବା ପରେ ବ୍ଳଡ୍ଟିଏ କିମ୍ବା ପ୍ଲାଟ୍ଲେଟ୍ଟିଏ ପାଉ ନ ଥିବା ବେଳେ ଜଣେ ବ୍ୟକ୍ତି କିଭଳି ବ୍ଲଡ୍ ବ୍ୟାଙ୍କରୁ ଏକକାଳୀନ ୬ଟି ପ୍ଲାଟ୍ଲେଟ୍ ହାତେଇପାରିଲେ ତାହା ଏବେ ତଦନ୍ତ ସାପେକ୍ଷ।