ପାରଳା ବିଧାନସଭା ଆସନ: ତିନି ଉଚ୍ଚଶିକ୍ଷିତଙ୍କ ମଧ୍ୟରେ ହେବ ଟକ୍କର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳଖେମୁଣ୍ଡି ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ବିଜେଡି ପକ୍ଷରୁ ଇଂ. ରୂପେଶ କୁମାର ପାଣିଗ୍ରାହୀ, ବିଜେପିରୁ କେ.ନାରାୟଣ ରାଓ ଓ ବିଜୟ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ମଇଦାନରେ ମୁଖ୍ୟତଃ ଏହି ତିନି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହେବାକୁ ଯାଉଛି। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ପାଇଁ ସରଗରମ ହୋଇଛି ମାହୋଲ। ପ୍ରାର୍ଥୀ ଘୋଷଣା ପରେ ୩ ଦଳ ନିଜ […]

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳଖେମୁଣ୍ଡି ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ବିଜେଡି ପକ୍ଷରୁ ଇଂ. ରୂପେଶ କୁମାର ପାଣିଗ୍ରାହୀ, ବିଜେପିରୁ କେ.ନାରାୟଣ ରାଓ ଓ ବିଜୟ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ମଇଦାନରେ ମୁଖ୍ୟତଃ ଏହି ତିନି ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହେବାକୁ ଯାଉଛି। ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ପାଇଁ ସରଗରମ ହୋଇଛି ମାହୋଲ। ପ୍ରାର୍ଥୀ ଘୋଷଣା ପରେ ୩ ଦଳ ନିଜ ନିଜର ରଣକୌଶଳ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ରାଜନୈତିକ ଚର୍ଚ୍ଚା, ଆଲୋଚନା ତଥା ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସ୍ଥିତିକୁ ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି।

ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡି ନୂଆ ଚେହେରାକୁ ପ୍ରାର୍ଥୀ କରିଛି। ରାଜନୀତିରେ ନୂତନ ଭାବେ ପାଦ ଥାପିଥିବା ଇଂ. ରୂପେଶ କୁମାର ପାଣିଗ୍ରାହୀଙ୍କୁ ବିଜେଡି ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି। ତାଙ୍କ ବାପା ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଜଣେ ସଫଳ ବ୍ୟବସାୟୀ ଓ ଜଣାଶୁଣା ରାଜନେତା। ନବାଗତ ରୂପେଶ ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ତଥା ପାରଳା ବିଧାୟକ କେ. ନାରାୟଣ ରାଓ ଜଣେ ଉଚ୍ଚଶିକ୍ଷିତ। ସେ ସ୍ନାତକ ସହ ଆଇନରେ ଡିଗ୍ରୀ ହାସଲ କରି ଜଣେ ଆଇନଜୀବୀ। ସେ ରାଜନୀତିରେ ଜଣେ ପୁରୁଖା ନେତା। କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ ପୂର୍ବତନ ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ଥିଲେ। ଏଭଳି ୩ଜଣ ଉଚ୍ଚଶିକ୍ଷିତଙ୍କୁ ୩ ପ୍ରମୁଖ ଦଳ ପ୍ରାର୍ଥୀ କରିଥିବାରୁ ଏମାନଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ରାଜନୀତି ସମୀକ୍ଷକମାନେ ଆକଳନ କରିଛନ୍ତି। ଅବଶ୍ୟ ପାରଳାଖେମୁଣ୍ଡି ବିଧାନସଭା ଆସନରେ ବିଜେଡିର ସାଂଗଠନିକ ସ୍ଥିତି ସୁଦୃଢ଼ ରହିଛି। ଗତ ପଞ୍ଚାୟତ ନିର୍ବାଚନ ୨୦୨୨ ପରଠାରୁ ବିଜେପି ଏବଂ କଂଗ୍ରେସଠାରୁ ବିଜେଡି ବହୁ ଆଗରେ ରହିଛି। ଏହା ରାଜନୀତିରେ ନବାଗତ ରୂପେଶଙ୍କୁ ସହାୟ ହେବ ବୋଲି କୁହାଯାଉଛି।

ଏକଦା କଂଗ୍ରେସ ଗଡ଼ ଥିବା ପାରଳାଖେମୁଣ୍ଡିରେ ଏବେ ଅଣକଂଗ୍ରେସ ଦଳଙ୍କ ପତିଆରା ବୃଦ୍ଧି ପାଇଛି। ୧୯୯୦ ରେ ଜନତା ଦଳ ପ୍ରାର୍ଥୀ ଏଠାରେ ବିଜୟୀ ହୋଇଥିବା ବେଳେ ୧୯୯୫ରେ ସ୍ୱାଧୀନ, ୨୦୦୦ ଏବଂ ୨୦୦୪ରେ କଂଗ୍ରେସ, ୨୦୦୯ରେ ବିଜେଡି, ୨୦୧୪ରେ କଂଗ୍ରେସ ୨୦୧୯ରେ ବିଜେପି ଏହି ଆସନରେ ବିଜୟୀ ହୋଇଥିଲେ। ତେବେ ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ବେଶ୍‌ ସଫଳତା ମିଳିଥିଲା। ଏହା ପରଠାରୁ ବିଜେଡିର ପ୍ରଭାବ ବୃଦ୍ଧି ପାଇଛି। ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨ଲକ୍ଷ ୧୫ହଜାର ୭୦୬ ରହିଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୬ହଜାର ୨୧୨ ଓ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୯ହଜାର ୪୭୭। ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନ ପାଇଁ ମୋଟ ୨୭୬ଟି ବୁଥ ଗଠନ କରାଯାଇଛି। ପାରଳାଖେମୁଣ୍ଡି ବିଧାନସଭା ଆସନ ଗୋଷାଣି, ଗୁମ୍ମା ଏବଂ କାଶୀନଗର ବ୍ଲକ ସମେତ ପାରଳାଖେମୁଣ୍ଡି ପୌର ପରିଷଦ ଏବଂ କାଶୀନଗର ଏନ୍ଏସିକୁ ନେଇ ଗଠିତ।

About The Author: The Sakala