ମାଲକାନଗିରି: ମାଲକାନଗିରି ଜିଲ୍ଲା ବନ ବିଭାଗକୁ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲାର କୋଇଲିପାରି ଗ୍ରାମରେ ଚଢ଼ାଉ କରି ବନ ବିଭାଗ ଏକ ବଜ୍ରକାପ୍ତା ଚୋରା ଚାଲାଣ ଉଦ୍ୟମକୁ ପଣ୍ଡ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ମିଳିଥିବା ରିପୋର୍ଟ ଅନୁଯାୟୀ, ମାଲକାନଗିରି ବ୍ଲକ ଅନ୍ତର୍ଗତ କୋଇଲିପାରି ଗ୍ରାମରେ ବଜ୍ରକାପ୍ତା ଚୋରା ଚାଲାଣ ନେଇ ଡିଲ୍ ଚାଲିଥିବା ବେଳେ ବନ ବିଭାଗ ଚଢ଼ାଉ କରିଥିଲା। ଏହି ସମୟରେ ପ୍ରାୟ ୧୫ କେଜିରୁ ଅଧିକ ଓଜନର ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅନ୍ଧାରର ସୁଯୋଗ ନେଇ ଫେରାର ହେବାରେ ସକ୍ଷମ ହୋଇଛି। ବନ ବିଭାଗ ଏହି ଚଢ଼ାଉ ସମୟରେ ୩ଟି ମୋଟରସାଇକେଲ ମଧ୍ୟ ଜବତ କରିଛି।
ମାଲକାନଗିରି ଡିଏଫଓ ସାଇ କିରଣଙ୍କ ସୂଚନା ମୁତାବକ, ଉଦ୍ଧାର ହୋଇଥିବା ବଜ୍ରକାପ୍ତାଟିକୁ ବର୍ତ୍ତମାନ ବନ ବିଭାଗ ନିଜ ହେପାଜତରେ ରଖିଛି। ତାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ପୁଣି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯିବ। ବର୍ତ୍ତମାନ ଫେରାର ଥିବା ଅନ୍ୟ ଅଭିଯୁକ୍ତକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଆଗକୁ ମଧ୍ୟ ବନ୍ୟଜନ୍ତୁ ଚୋରା ଚାଲାଣ ରୋକିବା ପାଇଁ ଏହିପରି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।