ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ରାଜନୀତିରେ ଉଷା କୁମାରୀ ଏବଂ ପୁଷ୍ଣାଞ୍ଜଳି କଣ୍ଟା ଖୁବ୍ ପରିଚିତ ନାମ। ଉଭୟେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଆସନ ଅଳଙ୍କୃତ କରିଛନ୍ତି। ଉଷା କୁମାରୀ ୨୦୧୭ରୁ ୨୦୨୨ ଯାଏଁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଥିଲେ। ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ ସମର୍ଥନ ପାଇଁ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନରେ ବସି ପାରିଥିଲେ। ସେହିଭଳି ୨୦୦୭ରୁ ୨୦୧୨ ଯାଏଁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଥିଲେ ପୁଷ୍ଣାଞ୍ଜଳି କଣ୍ଟା। ବିଜେଡି ଦଳ ପକ୍ଷରୁ ପୁଷ୍ଣାଞ୍ଜଳିଙ୍କୁ ଅଧ୍ୟକ୍ଷା ଆସନରେ ବସା ଯାଇଥିଲା।
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଭୟ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମିତି ସଭ୍ୟ ପ୍ରାର୍ଥିନୀ ହୋଇଛନ୍ତି। ପୂର୍ବରୁ ଦଳୀୟ ଚିହ୍ନରେ ନିର୍ବାଚନ ଲଢିଥିବା ଉଭୟ ନେତ୍ରୀ ଏବେ କୌଣସି ଦଳୀୟ ଚିହ୍ନ ନୁହେଁ ବରଂ ଜଣେ କେଟଲି ଚିହ୍ନରେ ନିର୍ବାଚନ ଲଢୁଛନ୍ତି। ତେବେ ଏହି କେଟଲିକୁ ନେଇ କିଏ ଭାଗ୍ୟବାନ ସାବ୍ୟସ୍ତ ହେବେ ତାହା ସମୟ କହିବ। ଉଷା କୁମାରୀ ବୀରମହାରାଜପୁର ବ୍ଲକ ଅଧୀନସ୍ଥ ମୁର୍ଷୁଣ୍ଡି ଗ୍ରାମପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥିନୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେହିଭଳି ପୁଷ୍ପାଞ୍ଜଳି କଣ୍ଟା ବିନିକା ବ୍ଲକ ଅଧୀନସ୍ଥ ମେଘଲା ଗ୍ରାମପଞ୍ଚାୟତରେ ସମିତି ସଭ୍ୟା ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏବେ ଦେଖିବାକୁ ବାକି ରହିଲା ରାଜନୈତିକ ଦଳର ବିନା ଚିହ୍ନରେ ମତଦାତା ମାନେ ଏହି ଉଭୟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ କିଭଳି ଗ୍ରହଣ କରୁଛନ୍ତି।