ପଣା ସଂକ୍ରାନ୍ତି ତାରିଖ ଦ୍ୱନ୍ଦ ପ୍ରସଙ୍ଗ, ହାଇକୋର୍ଟରେ ପହଞ୍ଚିଲା ମାମଲା

କଟକ : ଚଳିତ ବର୍ଷର ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ନୁହେଁ ୧୩ରେ ପାଳନ ହେବା କଥା । ହେଲେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ନିଷ୍ପତ୍ତି ଅନୁସାରେ ଏହାକୁ ୧୪ରେ ପାଳନ କରାଯାଉଛି । ଏଭଳି ନିଷ୍ପତ୍ତିକୁ ବିରୋଧ କରି ଶେଷରେ ମାମଲା ହାଇକୋର୍ଟରେ ପହଞ୍ଚିଛି । ତେବେ ହାଇକୋର୍ଟ ଏହାକୁ ଶୁଣାଣି ପାଇଁ ଗ୍ରହଣ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଛି । ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ କୋଷାଧ୍ୟକ୍ଷ […]

କଟକ : ଚଳିତ ବର୍ଷର ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ନୁହେଁ ୧୩ରେ ପାଳନ ହେବା କଥା । ହେଲେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ନିଷ୍ପତ୍ତି ଅନୁସାରେ ଏହାକୁ ୧୪ରେ ପାଳନ କରାଯାଉଛି । ଏଭଳି ନିଷ୍ପତ୍ତିକୁ ବିରୋଧ କରି ଶେଷରେ ମାମଲା ହାଇକୋର୍ଟରେ ପହଞ୍ଚିଛି । ତେବେ ହାଇକୋର୍ଟ ଏହାକୁ ଶୁଣାଣି ପାଇଁ ଗ୍ରହଣ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଛି । ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ପକ୍ଷରୁ କୋଷାଧ୍ୟକ୍ଷ ତଥା ଗଣନାକାର ଦୋଳଗୋବିନ୍ଦ ପଣ୍ଡା ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।

ଆବେଦନକାରୀ ଦର୍ଶାଇଛନ୍ତି ଯେ ଚଳିତ ବର୍ଷ ଅଧିବର୍ଷ ଅଟେ । ଏଣୁ ୨୦୨୪ମସିହା ୩୬୫ ଦିନ ବଦଳରେ ୩୬୬ ଦିନ ହେବ । ଏହି ଗଣନା ଅନୁସାରେ ଏ ବର୍ଷ ଏପ୍ରିଲ ୧୪ ବଦଳରେ ୧୩ ତାରିଖରେ ମହାବିଷୁବ ବା ପଣା ସଂକ୍ରାନ୍ତି ପଡିବ । ଓଡ଼ିଶାରେ ପ୍ରାୟ ସମସ୍ତ ପାଞ୍ଜି ଗଣନାରେ ବିଶେଷଭାବେ ଅବଲମ୍ବନ କରାଯାଉଥିବା ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ, ଯାଜପୁର ଜିଲ୍ଲାରେ ବିରଜା ପାଞ୍ଜି ଗଣନାରେ ବ୍ୟବହୃତ ଶତାନନ୍ଦଙ୍କ ଭାସ୍ୱତୀ, ସାରା ଭାରତରେ ପାରମ୍ପରିକ ପାଞ୍ଜି ଗଣନାରେ ବ୍ୟବହୃତ ସୂର୍ଯ୍ୟସିଦ୍ଧାନ୍ତ ଓ ଆଧୁନିକ ବୈଜ୍ଞାନିକ ପଦ୍ଧତି ଗଣନା ଅନୁସାରେ ଏପ୍ରିଲ ୧୩ ତାରିଖରେ ପଣା ସଂକ୍ରାନ୍ତି ପଡ଼ୁଛି । ଓଡ଼ିଶା ତଥା ସର୍ବଭାରତୀୟ ସ୍ତରର ପ୍ରାୟ ସମସ୍ତ ପଞ୍ଜିକାରେ ଏପ୍ରିଲ ୧୩ରେ ହିଁ ମେଷ ରାଶିକୁ ନିରୟଣ ରବି ଚଳନ ହେଉଥିବା ଦର୍ଶାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରେ ତିଥି ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ପାଇଁ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ପୋଜିସନାଲ ଆଷ୍ଟ୍ରେନୋମି ସେଣ୍ଟର ପକ୍ଷରୁ ଚଳିତ ବର୍ଷ ପ୍ରକାଶିତ ରାଷ୍ଟ୍ରୀୟ ପଞ୍ଚାଙ୍ଗରେ ଏପ୍ରିଲ ୧୩ରେ ମହାବିଷୁବ ସଂକ୍ରାନ୍ତି ପଡୁଛି ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର “ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା’ ସହିତ ଅନ୍ୟ ପ୍ରମୁଖ ପାଞ୍ଜି ଗୁଡ଼ିକରେ ଏପ୍ରିଲ ୧୩ରେ ହିଁ ପଣାସଂକ୍ରାନ୍ତି ବୋଲି ଉଲ୍ଲେଖ କରିଛି । ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି ବୋଲି ତ୍ରୁଟିପୂର୍ଣ୍ଣ ଗଣନା କରିଥିବା ର୍ନିଦ୍ଦିଷ୍ଟ କେତେଗୋଟି ପଞ୍ଜିକାକୁ ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ୨୦୨୪, ଏପ୍ରିଲ ୧୪ରେ ମହା ବିଷୁବ ସଂକ୍ରାନ୍ତି ପଡ଼ୁଥିବା ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଗ୍ରହଣ କରିଥିବା ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅନୁମୋଦନ ଦେଇଥିଲା। ଏହାପରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୨୦୨୪, ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି ବୋଲି ଘୋଷଣା କରି ୨୦୨୩, ନଭେମ୍ବର ୭ରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ପାଞ୍ଜିରେ ପଣା ସଂକ୍ରାନ୍ତିର ତାରିଚୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏପ୍ରିଲ ୧୩କୁ ମହାବିଷୁବ ସଂକ୍ରାନ୍ତି ଘୋଷଣା ସହ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବା ପାଞ୍ଜି ରଦ୍ଦ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଆଇନ ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ମୁକ୍ତି ମଣ୍ଡପ ପଣ୍ଡିତ ସଭା, ପାଣିପାଗ ବିଜ୍ଞାନ ବିଭାଗ ମହାର୍ନିଦ୍ଦୋକ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ଓ ବିବୁଧେନ୍ଦ୍ର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

About The Author: The Sakala