ପୁରୀ: ଆଜି ବିଶ୍ଵନିୟନ୍ତାଙ୍କ ପବିତ୍ର ଘୋଷଯାତ୍ରା । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ବଡଦାଣ୍ଡ । ହୁଳହୁଳି, ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ । ପ୍ରଭୁ ସୁଦର୍ଶନ ରଥାରୂଢ଼ ହେବା ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ବଡ଼ଠାକୁର ପ୍ରଭୁ ଶ୍ରୀବଳଭଦ୍ର ଧାଡି ପହଣ୍ଡିରେ ଆସି ତାଳଧ୍ବଜରେ ରଥାରୁଢ଼ ହୋଇଥିଲେ । ଦିବ୍ୟ, ଭବ୍ୟ, ମନୋଜ୍ଞ, ଟାହିଆ ହଲେଇ ରଥରେ ବିରାଜିଛନ୍ତି ଶ୍ରୀବଳଦେବ ବଡଠାକୁର । ଧାଡି ପହଣ୍ଡି ନୀତିରେ ସେବାୟତମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ରତ୍ନବେଦୀରୁ ରଥକୁ ଘେନି ଆଣିଥିଲେ । ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଶ୍ରୀନଅରରୁ ଝୁଲିଝୁଲି ରଥରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ବିମୋହିତ କରିଛି ।
ବଡ଼ଠାକୁର ବଳଭଦ୍ରଙ୍କ ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଶୂନ୍ୟ ପହଣ୍ଡିରେ ଆସି ଦେବଦଳନ ରଥରେ ବିଜେ କରିଛନ୍ତି ମା’ ସୁଭଦ୍ରା । ସିଂହଦ୍ୱାର ଚକଡ଼ାରେ ବିଜେ ଅଛନ୍ତି ୩ ରଥ । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ । ତିନି ରଥରେ ବିରାଜମାନ କରିବେ ଶ୍ରୀବିଗ୍ରହ । ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତି, ଆନନ୍ଦ ଓ ଆଧ୍ୟାତ୍ମିକତାର ଅପୂର୍ବ ସମନ୍ୱୟ ମଧ୍ୟରେ ଏବେ ସମସ୍ତଙ୍କ ନଜର ରହିଛି ପରବର୍ତ୍ତୀ ପହଣ୍ଡି ନୀତି ଏବଂ ମହାପ୍ରଭୁଙ୍କ ରଥାରୋହଣ ଉପରେ ।