ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ଓଡ଼ିଶାର ସାଂସ୍କୃତିକ ଗଣପର୍ବ ରଜ ମହୋତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଷ୍ପତ୍ତି ନେଇଛି। ଆସନ୍ତାକାଲିଠୁ ‘ପିଠା ଅନ୍ ହ୍ୱିଲ୍’ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱର ସମେତ ସମ୍ବଲପୁର ଓ କଟକରେ ସୁଲଭ ଦରରେ ସୁସ୍ୱାଦୁ ଓଡ଼ିଆ ପିଠା ଯୋଗାଇ ଦେବ। ଆଜି ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦଘାଟନ କରିଥିଲେ।
ସେହିପରି, ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ ରଜ ପର୍ବ ଅବସରରେ ଓଡ଼ିଶାବାସୀ ଓ ବିଶେଷକରି ମା’ ଓ ଝିଅମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରଜ ଓଡ଼ିଶାର ସାଂସ୍କୃତିକ ଗଣପର୍ବ। ବସୁଧା, ପ୍ରକୃତି ଓ ନାରୀଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଅନନ୍ୟ ପରମ୍ପରା। ସମାଜ ପାଇଁ ନାରୀର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବାର ପର୍ବ। ଏହାସହିତ ସମସ୍ତେ କୋଭିଡ୍ କଟକଣା ମାନି ନିରାଡ଼ମ୍ବର ଭାବେ ରଜପର୍ବ ପାଳନ କରିବାକୁ ସେ କହିଛନ୍ତି।
ଏଥିସହିତ ଓଟିଡିସିର ପାନ୍ଥନିବାସ ଓ ମିଶନ ଶକ୍ତି ମା’ମାନଙ୍କ ସହାୟତାରେ ଆୟୋଜନ କରାଯାଉଥିବା ‘ପିଠା ଅନ୍ ହ୍ୱିଲ୍’ ଉପକ୍ରମକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। କୋଭିଡ୍-୧୯ କଟକଣାକୁ ମାନି ସାଧାରଣ ଲୋକଙ୍କ ନିକଟରେ ‘ପିଠା ଅନ୍ ହ୍ୱିଲ୍’ ମାଧ୍ୟମରେ ପିଠା ପହଂଚାଇବାକୁ ପାନ୍ଥନିବାସ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପାନ୍ଥନିବାସ ଓ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହାଇଜେନିକ୍ ପକ୍ରିୟାରେ ହାତ ତିଆରି ପ୍ରସ୍ତୁତ ଏହି ଓଡ଼ିଆ ସୁସ୍ୱାଦୁ ବିଭିନ୍ନ ପିଠା ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଲୋକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଶ୍ରୀମତୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି ।
କେବଳ ଭୁବନେଶ୍ୱର ନୁହେଁ ସମ୍ବଲପୁର ପାନ୍ଥନିବାସ ପକ୍ଷରୁ ମଧ୍ୟ ଅନୁରୂପ ‘ପିଠା ଅନ ହ୍ୱିଲ୍’ ମାଧ୍ୟମରେ ସୁସ୍ୱାଦୁ ରଜ ପିଠା ବିକ୍ରି କରାଯିବ। ଏହି ପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର ମୋବାଇଲ ଫୋନ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଓଟିଡିସି ସୋସିଆଲ ମିଡିଆ ପେଜ୍ରେ ମଧ୍ୟ ଉପଲବ୍ଧ ଅଛି। ଭୁବନେଶ୍ୱର, ସମ୍ବଲପୁର ଓ କଟକ ପାନ୍ଥନିବାସରେ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇ ଏହି ପିଠା ବିକ୍ରି କରାଯିବ ବୋଲି ସେ କହିଛନ୍ତି।
ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ଓଟିଡିସିର ବରିଷ୍ଠ ପଦାଧିକାରୀଙ୍କ ସମେତ ଭୁବନେଶ୍ୱର ପାନ୍ଥନିବାସର କର୍ମଚାରୀମାନେ ଉପସ୍ଥିତ ଥିଲେ।