​ଓଡ଼ିଶା ପାଇଁ ନୈରାଶ୍ୟଜନକ ବଜେଟ୍: ନବୀନ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିଥିବା ବେଳେ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ ସମସ୍ତଙ୍କୁ ନିରାଶ କରିଛି ବୋଲି ସେ କହିଛନ୍ତି। ବଜେଟରେ  ଓଡ଼ିଶା ଏବଂ ଏହାର ଲୋକଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ପ୍ରଦାନ କରାଯାଇ ନାହିଁ। ଓଡ଼ିଶାବାସୀଙ୍କ ଆଶା ଥିଲା ଯେ ଡବଲ ଇଞ୍ଜିନ୍‌ ସରକାର ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟ ପାଇଁ ଅତିରିକ୍ତ ଆବଣ୍ଟନ ଉପରେ ଧ୍ୟାନ ଦେଇ ଅଭିବୃଦ୍ଧି ଗତି ପ୍ରଦାନ କରିବ। କିନ୍ତୁ ଏଥିରୁ ରାଜ୍ୟକୁ ବହୁତ କମ୍‌ ମିଳିଛି ବୋଲି ନବୀନ ଉଦବେଗ ପ୍ରକାଶ କରିଛନ୍ତି। 

ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ନବୀନ କହିଛନ୍ତି ଯେ ମୁଁ ଓଡ଼ିଶାରେ ସମର୍ପିତ ବିରଳ ମୃତ୍ତିକା କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସ୍ୱାଗତ କରୁଛି। ଓଡ଼ିଶା ଅନେକ ମୁଖ୍ୟ ଖଣିଜ ପଦାର୍ଥର ଅଗ୍ରଣୀ ଉତ୍ପାଦକ ଅଟେ ଏବଂ ଏହାର ସମୃଦ୍ଧ ସମ୍ପଦ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସର୍ବଦା ଯୋଗଦାନ ଦେବ। ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପାଇଁ ପୁଣି ଥରେ ଜାତୀୟ ଜଳପଥ ଘୋଷଣା କରାଯାଇଛି। ମାତ୍ର ଏହା ଏକ ଦଶନ୍ଧି ପୁରୁଣା ପ୍ରସ୍ତାବ ହୋଇଥିବା ବେଳେ ଏଥିରେ ତୃଣମୂଳସ୍ତରରେ କୌଣସି ଅଗ୍ରଗତି ହୋଇନାହିଁ। ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ଼ ନିରାଶା ଯେ ସହରଗୁଡ଼ିକ ମଧ୍ୟରେ ସାତଟି ହାଇ-ସ୍ପିଡ୍‌ ରେଳ କରିଡରକୁ ‘ଗ୍ରୋଥ୍‌ କନେକ୍ଟର୍‌’ ଭାବରେ ବିକାଶ କରିବା ଘୋଷଣାରେ ଓଡ଼ିଶାର ଉଲ୍ଲେଖ ନାହିଁ। ଓଡ଼ିଶା ବିଜେପି ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରିଦେଇଥିଲା ଏବଂ ଲୋକଙ୍କ ଆବଶ୍ୟକତାକୁ ଅବହେଳା କରିବାର ଧାରା ପୂର୍ବପରି ଜାରି ରହିଛି ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। 

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ଆମର ‘ଡାଇମଣ୍ଡ ଟ୍ରାଇଙ୍ଗଲ୍‌’ ସମେତ ଅନେକ ପ୍ରସିଦ୍ଧ ବୌଦ୍ଧ ସ୍ଥଳ ଥିବା ସତ୍ତ୍ୱେ ପର୍ଯ୍ୟଟନ ଭିତ୍ତିକ ‘ବୌଦ୍ଧ ସର୍କିଟ୍‌ ବିକାଶ ଯୋଜନା’ରୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦିଆଯାଇଛି; ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସାମଗ୍ରିକ ବଜେଟକୁ ଦେଖିଲେ ସ୍ପଷ୍ଟ ଅନୁମେୟ ହେଉଛି, ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ନେଇଯିବା ପାଇଁ ହିଁ କେବଳ ଅନୁଦାନ ମିଳୁଛି। ମାତ୍ର ରାଜ୍ୟବାସୀଙ୍କ ସୁବିଧା ତଥା ଉନ୍ନତି ପାଇଁ ଅର୍ଥ ଆବଣ୍ଟନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି, ରାଜ୍ୟ ବିଜେପି ସରକାର ଓଡ଼ିଶାବାସୀଙ୍କ ପାଇଁ ଉତ୍ତରଦାୟିତ୍ୱ ଗ୍ରହଣ କରନ୍ତୁ ଏବଂ କେନ୍ଦ୍ରରୁ ଓଡ଼ିଶାର ନ୍ୟାଯ୍ୟ ଅଧିକାର ମିଳିବା ସୁନିଶ୍ଚିତ କରନ୍ତୁ। ଓଡ଼ିଶା ଏବଂ ଏହାର ଜନସାଧାରଣ କେନ୍ଦ୍ର ବଜେଟରୁ ଅଧିକ ସୁଫଳ ପାଇବାକୁ ହକଦାର୍‌ ଅଟନ୍ତି ବୋଲି ନବୀନ କହିଛନ୍ତି।

About The Author: Madhusudan Das