ସମ୍ଭାବ୍ୟ ବାତ୍ୟାର ସ୍ଥିତି: ଆଣ୍ଡାମାନ ଉପରେ ନଜର, ଶକ୍ତି ବଢ଼ାଇବ ମୌସୁମୀ ଅପସାରଣ

ଭୁବନେଶ୍ୱର: ସମୟ ଗଡ଼ିବା ସହିତ ଆଣ୍ଡାମାନସାଗରରେ ସୃଷ୍ଟି ହେବାକୁ ଥିବା ବଡ଼ ପାଣିପାଗ ଜନିତ ସ୍ଥିତି ଦୃଢ଼ୀଭୂତ ହେବାରେ ଲାଗିଛି। ପୂର୍ବରୁ କିଛି ପାଣିପାଗ ‘ମଡେଲ୍‌‌’ ବାତ୍ୟା ସ୍ଥିତି ନେଇ ଆକଳନ କରୁଥିଲେ। ଏବେ ଅଧିକାଂଶ ମଡେଲ୍‌‌ରେ ବାତ୍ୟାର ସୃଷ୍ଟି ନେଇ ଆଶଙ୍କା ପ୍ରକଟ ହୋଇଛି। ହେଲେ କେତେ ତାରିଖରେ ଏହା ସୃଷ୍ଟି ହେବ ଓ ଏହାର ଗତି ପଥକୁ ନେଇ ମଡେଲ୍‌‌ଗୁଡ଼ିକ ବାରମ୍ବାର ମତ ବଦଳାଉଛନ୍ତି। ତେଣୁ ତାରିଖକୁ ନେଇ ଏବେ ବି ସଂଶୟ ଲାଗି […]

ଭୁବନେଶ୍ୱର: ସମୟ ଗଡ଼ିବା ସହିତ ଆଣ୍ଡାମାନସାଗରରେ ସୃଷ୍ଟି ହେବାକୁ ଥିବା ବଡ଼ ପାଣିପାଗ ଜନିତ ସ୍ଥିତି ଦୃଢ଼ୀଭୂତ ହେବାରେ ଲାଗିଛି। ପୂର୍ବରୁ କିଛି ପାଣିପାଗ ‘ମଡେଲ୍‌‌’ ବାତ୍ୟା ସ୍ଥିତି ନେଇ ଆକଳନ କରୁଥିଲେ। ଏବେ ଅଧିକାଂଶ ମଡେଲ୍‌‌ରେ ବାତ୍ୟାର ସୃଷ୍ଟି ନେଇ ଆଶଙ୍କା ପ୍ରକଟ ହୋଇଛି। ହେଲେ କେତେ ତାରିଖରେ ଏହା ସୃଷ୍ଟି ହେବ ଓ ଏହାର ଗତି ପଥକୁ ନେଇ ମଡେଲ୍‌‌ଗୁଡ଼ିକ ବାରମ୍ବାର ମତ ବଦଳାଉଛନ୍ତି। ତେଣୁ ତାରିଖକୁ ନେଇ ଏବେ ବି ସଂଶୟ ଲାଗି ରହିଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ଏଥିପାଇଁ ସମସ୍ତଙ୍କ ନଜର ଆଇଏମଡିର ଘୋଷଣା ଉପରେ ରହିଛି।

ସାଧାରଣତଃ ଆଇଏମଡି ୭ ଦିନ ପୂର୍ବରୁ ପାଣିପାଗ ପରିବର୍ତ୍ତନର ଆକଳନ କରିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ସାମ୍ଭାବ୍ୟ ବାତ୍ୟା ନେଇ କୌଣସି ଆକଳନ କରାଯାଇନାହିଁ। ମାତ୍ର ବିଭାଗ ପକ୍ଷରୁ ଦୁଇ ସପ୍ତାହ ପାଇଁ ପ୍ରକାଶ ପାଉଥିବା ବିସ୍ତାରିତ ପରିସର ଆକଳନରେ ଏହି ସିଷ୍ଟମ ନେଇ ସମ୍ୟକ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ ଚଳିତ ମାସ ତୃତୀୟ ସପ୍ତାହ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ କୁହାଯାଇଛି। ଯାହାକି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ବହୁ ବିଦେଶୀ ମଡେଲ୍‌‌ ସହିତ ଆଇଏମଡିର ଜିଏଫ୍‌‌ଏସ୍‌‌ ମଡେଲ୍‌‌ ମଧ୍ୟ ଆକଳନ କରୁଛି।

ଗୋଟିଏ ପଟେ ବଡ଼ ପାଣିପାଗ ଜନିତ ସ୍ଥିତି ଭିତରେ ଏବେ ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ନେଇ ସମ୍ପୂର୍ଣ୍ଣ ପାଗ ଅନୁକୂଳ ରହିଛି। ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି। ଓଡ଼ିଶାରେ କୁହୁଡ଼ି ସହିତ ପ୍ରବଳ କାକର ପଡ଼ୁଥିବାରୁ ଏହା ମୌସୁମୀ ଅପସାରଣର ଆଭାସ ବୋଲି ଜଣାପଡ଼ୁଛି। ମୌସୁମୀ ଅପସାରଣ ପରେ ଯେଉଁ ସବୁ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୁଏ, ତାହା ବହୁ ଶକ୍ତିଶାଳୀ ହୋଇଥାଏ। ତେଣୁ ପ୍ରତ୍ୟେକଟି ସିଷ୍ଟମକୁ ଆଇଏମଡି ସମେତ ଅନ୍ୟ ଆକଳନକାରୀ ସଂସ୍ଥାମାନେ ତୀକ୍ଷ୍ଣ ନଜରରେ ରଖିଥାନ୍ତି। ସେଥିପାଇଁ ଏହି ସିଷ୍ଟମ ପ୍ରତି ମଧ୍ୟ ସମସ୍ତଙ୍କ ଦୃଷ୍ଟି ରହିଛି।

ବର୍ତ୍ତମାନ ସାମୁଦ୍ରିକ ସ୍ଥିତି ଓ ପାଣିପାଗ ଜନିତ କାରକଗୁଡ଼ିକ ସମୁଦ୍ରକୁ ଅଶାନ୍ତ କରିବାରେ ଲାଗିଛି। ସାଧାରଣତଃ ଅକ୍ଟୋବର ପହିଲାରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୌସୁମୀ ପରବର୍ତ୍ତୀକାଳୀନ ବାତ୍ୟା ଋତୁ ଭାବେ ଗଣନା କରାଯାଏ। ଅତିତରେ ଏହି ସମୟ ଏକାଧିକ ବାତ୍ୟା ଆସିଥିବା ବେଳେ ଅକ୍ଟୋବର ମାସରେ ଆସୁଥିବା ବାତ୍ୟାଗୁଡ଼ିକ ଅଧିକ ଓ ଶକ୍ତିଶାଳୀ ହୋଇଥାଏ। ଉତ୍ତର ଆଣ୍ଡାମାନ ସାଗରରେ ବର୍ତ୍ତମାନ ତାପମାତ୍ରା ୩୦-୩୧ ଡିଗ୍ରୀ ସେଲ୍‌ସିୟସ ରହିଛି। ଯାହାକି ବଡ଼ ସିଷ୍ଟମ ଘନୀଭୂତ କରିବାରେ ଏକ ବଳିଷ୍ଠ ବାତ୍ତାବରଣ ସୃଷ୍ଟି କରୁଛି। ଏହି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ବିଭିନ୍ନ ବିଦେଶୀ ପାଣିପାଗ ମଡେଲ୍‌‌ଗୁଡ଼ିକ ବଡ଼ ସିଷ୍ଟମ ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ଅନ୍ୟପଟେ ମଙ୍ଗଳବାର ଆକ୍ୟୁୱେଦରର ଆନ୍ତର୍ଜାତୀୟ ଫୋର୍କାଷ୍ଟିଂ ମ୍ୟାନେଜର ଜ୍ୟାସନ ନିକୋଲ୍ସ ଏବେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ଏହାସହିତ ଆସନ୍ତା ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କେତେ ଘନୀଭୂତ ହେବ ଓ କେଉଁ ଆଡ଼କୁ ଗତି କରିବା ତାହା ସ୍ପଷ୍ଟ ହୋଇନାହିଁ ବୋଲି ସେ ସୂଚନା ଦେଇଛି।

About The Author: The Sakala