ଭୁବନେଶ୍ୱର: ଓଡ଼ିଶା ଅନଲାଇନ୍ ଡ୍ରାଇଭର୍ସ ୟୁନାଇଟେଡ୍ ଫୋରମ୍ ପକ୍ଷରୁ ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ଧର୍ମଘଟ । ୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ । ଡ୍ରାଇଭର ସଂଘ ପକ୍ଷରୁ ସରକାର ଓ କମ୍ପାନୀଗୁଡ଼ିକ ଆଗରେ ୭ଟି ମୁଖ୍ୟ ଦାବି ରଖାଯାଇଛି । ଅନଲାଇନ୍ ଟ୍ୟାକ୍ସି କମ୍ପାନୀଗୁଡ଼ିକ ଉପରେ କଠୋର ନିୟମ ଲାଗୁ କରିବା ଏବଂ ଡ୍ରାଇଭରମାନଙ୍କ ପ୍ରତି ଉଚିତ ବ୍ୟବହାର ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।
ରାଜ୍ୟର ପ୍ରାୟ ୨୧ଟି ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଫଳରେ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗମନାଗମନ ସେବା ବହୁଳ ଭାବରେ ପ୍ରଭାବିତ ହୋଇଥିବା ସୂଚନା । ବିଶେଷ କରି ଦୈନନ୍ଦିନ ଯାତାୟାତ ପାଇଁ ଆପ୍-ଭିତ୍ତିକ କ୍ୟାବ୍ ଉପରେ ନିର୍ଭର କରୁଥିବା ହଜାର ହଜାର ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି ।
ଫୋରମ୍ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି ଯେ, ରାଜ୍ୟ ସରକାର ଓ କମ୍ପାନୀ ମିଳିତ ଭାବେ ଏକ ନିର୍ଦ୍ଦିଷ୍ଟ ଭଡ଼ା ଧାର୍ଯ୍ୟ କରନ୍ତୁ। ଗ୍ରାହକମାନଙ୍କୁ ଦିଆଯାଉଥିବା ରିହାତି (ଡିସକାଉଣ୍ଟ)ର ଖର୍ଚ୍ଚ କମ୍ପାନୀ ବହନ କରିବା ଉଚିତ୍ ଏବଂ ଏହା ଡ୍ରାଇଭରମାନଙ୍କ ରୋଜଗାରରୁ କଟାଯିବା ଅନୁଚିତ ବୋଲି ଡ୍ରାଇଭରମାନେ ଦୃଢ଼ ଦାବି କରିଛନ୍ତି।
ଏହା ବ୍ୟତୀତ ବିନା ତଦନ୍ତରେ ବ୍ଲକ୍ ହୋଇଥିବା ଡ୍ରାଇଭରମାନଙ୍କ ଆକାଉଣ୍ଟକୁ ପୁନର୍ବାର ସଚଳ କରିବା ଏବଂ ମନଇଚ୍ଛା ଜୋରିମାନା ଆଦାୟ ବନ୍ଦ କରିବାକୁ ଦାବି କରାଯାଇଛି। ଟ୍ରାଫିକ୍ ଜାମ୍ କିମ୍ବା ଗ୍ରାହକଙ୍କ ବିଳମ୍ବ ଯୋଗୁଁ ହେଉଥିବା ସମୟ ନଷ୍ଟ ପାଇଁ ୱେଟିଂ ଚାର୍ଜ ପ୍ରଦାନ କରିବା ସହ ଯାତ୍ରା ଆରମ୍ଭ ହେବା ପରେ ଯଦି ରାଇଡ୍ ବାତିଲ୍ ହୁଏ, ତେବେ ବାତିଲ୍ ଫି' ସମ୍ପୂର୍ଣ୍ଣ ଭାବେ ଡ୍ରାଇଭରଙ୍କୁ ଦିଆଯାଉ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
ଓଡ଼ିଶାରେ ସମସ୍ତ ଆପ୍-ଭିତ୍ତିକ ଅପରେଟରଙ୍କ ଏକ ସ୍ଥାୟୀ କାର୍ଯ୍ୟାଳୟ ରହିବା ବାଧ୍ୟତାମୂଳକ କରିବା ସହ ଚାହିଦା ଓ ଯୋଗାଣରେ ସନ୍ତୁଳନ ରକ୍ଷା କରିବା ପାଇଁ ନୂତନ ଗାଡ଼ି ସଂଯୋଗ ଉପରେ କଟକଣା ଲଗାଇବା ପାଇଁ ମଧ୍ୟ ଫୋରମ୍ ଦାବି ରଖିଛି।
ଏହି ଧର୍ମଘଟ ମାଧ୍ୟମରେ ରାଜ୍ୟ ସରକାର ଏବଂ ଅନଲାଇନ୍ ଟ୍ୟାକ୍ସି କମ୍ପାନୀଗୁଡ଼ିକ ଉପରେ ଚାପ ପକାଇବାକୁ ଉଦ୍ୟମ କରାଯାଉଛି। ଦୀର୍ଘ ଦିନ ଧରି ଲାଗି ରହିଥିବା ଏହିସବୁ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।