ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି; ୪ରେ ଲଘୁଚାପ ଆଶଙ୍କା, ନାହିଁ ବାତ୍ୟା ଭୟ

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଅକ୍ଟୋବର ମାସରେ ସୃଷ୍ଟି ହେଉଥିବା ଲଘୁଚାପଗୁଡ଼ିକ ଅଧିକ ଶକ୍ତିଶାଳୀ ହେବା ସହ ବାତ୍ୟାରେ ପରିଣତ ହୋଇଥାଏ। ମାତ୍ର ଏହି ଲଘୁଚାପଟି ବିଶେଷ ଘନୀଭୂତ ହେବ ନାହିଁଁ ଓ ଓଡ଼ିଶା ପାଇଁ କୌଣସି ବାତ୍ୟା ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ପାଣିପାଗ କେନ୍ଦ୍ରର ସୂଚନା […]

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଅକ୍ଟୋବର ମାସରେ ସୃଷ୍ଟି ହେଉଥିବା ଲଘୁଚାପଗୁଡ଼ିକ ଅଧିକ ଶକ୍ତିଶାଳୀ ହେବା ସହ ବାତ୍ୟାରେ ପରିଣତ ହୋଇଥାଏ। ମାତ୍ର ଏହି ଲଘୁଚାପଟି ବିଶେଷ ଘନୀଭୂତ ହେବ ନାହିଁଁ ଓ ଓଡ଼ିଶା ପାଇଁ କୌଣସି ବାତ୍ୟା ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । କ୍ରମଶଃ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଏକ ଲଘୁଚାପ ସୃଷ୍ଟି ହେବ। ଉପକୂଳଠାରୁ କମ୍‌ ଦୂରତାରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହା ଅଧିକ ଘନୀଭୂତ ନ ହୋଇ ଲଘୁଚାପ ରୂପରେ ସ୍ଥଳଭାଗ ଅତିକ୍ରମ କରିବ। ତେବେ ଲଘୁଚାପ ଯୋଗୁଁ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୪ ତାରିଖ ପରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବା ନେଇ ଆଶଙ୍କା କରାଯାଉଛି।

ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗୁଳୁଗୁଳି ଜାରି ରହିଛି। ବିଶେଷ କରି ଉପକୂଳବର୍ତ୍ତୀ ସହର ଓ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଜଳୀୟବାଷ୍ପର ମାତ୍ରା ଅଧିକ ରହୁଥିବାରୁ ଗୁଳୁଗୁଳିର ପ୍ରଭାବ ଅଧିକ ରହୁଛି। ଗୁରୁବାର ରାଜ୍ୟରେ ଏହି ସ୍ଥିତି ଜାରି ରହିବା ସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେନ୍ଦ୍ର ଆକଳନ କରିଛି। ବୁଧବାର ଜଗତସିଂହପୁର, ବୌଦ୍ଧ ଓ ଝାରସୁଗୁଡ଼ାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ବାକି ସ୍ଥାନଗୁଡ଼ିକରେ ୩୩-୩୪ ଡିଗ୍ରୀ ମଧ୍ୟରେ ତାତି ରେକର୍ଡ କରାଯାଇଛି।

About The Author: The Sakala