‘ଏକ ଦେଶ-ଏକ ନିର୍ବାଚନ’ ନକ୍ସା ପ୍ରସ୍ତୁତ: ୨୦୨୯ରେ ଦେଶରେ ହୋଇପାରେ ଏକକ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ୨୦୨୯ରେ ଦେଶରେ ହୋଇପାରେ ଏକକ ନିର୍ବାଚନ। ଏକ ସମୟରେ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ ସହ ସାଧାରଣ ନିର୍ବାଚନ ନିମନ୍ତେ ନକ୍ସା ପ୍ରସ୍ତୁତ କରିଛି ‘ଏକ ଦେଶ, ଏକ ନିର୍ବାଚନ’ କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବହୁ ବିଚାରବିମର୍ଶ ପରେ ଏ ସଂକ୍ରାନ୍ତରେ ପ୍ରସ୍ତୁତ କରିଥିବା ଦଲିଲ ଅନୁମୋଦନକୁ ଅପେକ୍ଷା କରିଛି। ତେବେ ଏ କ୍ଷେତ୍ରରେ ଗୋଟିଏ ପ୍ରତିବନ୍ଧକ ରହିଛି, ତାହା ହେଉଛି ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ। ୨୦୨୬ ସୁଦ୍ଧା […]

ନୂଆଦିଲ୍ଲୀ: ଆସନ୍ତା ୨୦୨୯ରେ ଦେଶରେ ହୋଇପାରେ ଏକକ ନିର୍ବାଚନ। ଏକ ସମୟରେ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ ସହ ସାଧାରଣ ନିର୍ବାଚନ ନିମନ୍ତେ ନକ୍ସା ପ୍ରସ୍ତୁତ କରିଛି ‘ଏକ ଦେଶ, ଏକ ନିର୍ବାଚନ’ କମିଟି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବହୁ ବିଚାରବିମର୍ଶ ପରେ ଏ ସଂକ୍ରାନ୍ତରେ ପ୍ରସ୍ତୁତ କରିଥିବା ଦଲିଲ ଅନୁମୋଦନକୁ ଅପେକ୍ଷା କରିଛି। ତେବେ ଏ କ୍ଷେତ୍ରରେ ଗୋଟିଏ ପ୍ରତିବନ୍ଧକ ରହିଛି, ତାହା ହେଉଛି ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ। ୨୦୨୬ ସୁଦ୍ଧା ଦେଶର ୨୫ଟି ରାଜ୍ୟର ବିଧାନସଭା ନିର୍ବାଚନ ହୋଇପାରିଲେ ୨୦୨୯ରେ ଏକ ଦେଶ, ଏକ ନିର୍ବାଚନ ପଥ ପରିଷ୍କାର ହୋଇପାରିବ। ନିକଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା, ଛତିଶଗଡ଼ ଓ ମିଜୋରାମକୁ ଏଥିରୁ ବାଦ୍‌ ଦିଆଯାଇଛି। ଏହି ରାଜ୍ୟଗୁଡ଼ିକର ବିଧାନସଭା ଅବଧି ୨୦୨୮ରେ ଶେଷ ହେଉଛି। ବିଶେଷ ପରିସ୍ଥିତିରେ ବିଧାନସଭା କାର୍ଯ୍ୟକାଳଗୁଡ଼ିକୁ ୬ ମାସ ବୃଦ୍ଧି କରାଯିବା ନିମନ୍ତେ ରହିଥିବା ପ୍ରାବଧାନର ଉପଯୋଗ କରାଯାଇ ଲୋକସଭା ନିର୍ବାଚନ ସହ ଏହି ରାଜ୍ୟର ବିଧାନସଭା ନିର୍ବାଚନ କରାଯାଇପାରେ ବୋଲି କୁହାଯାଉଛି।

୨୦୨୪ରେ ଦେଶର ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଅରୁଣାଚଳ ପ୍ରଦେଶ, ସିକିମ ନିର୍ବାଚନ ଜୁନ୍‌ ୨୦୨୪ ସୁଦ୍ଧା ଶେଷ ହେବ। ସେହିପରି ହରିଆଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡର ନିର୍ବାଚନ ବର୍ଷର ଶେଷ ଭାଗରେ ଅନୁଷ୍ଠିତ ହେବ। ଏହାବ୍ୟତୀତ ଜାମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ମଧ୍ୟ ଆଗାମୀ ବର୍ଷ ହେବାର ସମ୍ଭାବନା ରହିଛି। ଏକ ସମୟରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ୪ ରାଜ୍ୟ ଓଡ଼ିଶା, ଆନ୍ଧ୍ର, ଅରୁଣାଚଳ ପ୍ରଦେଶ ଓ ସିିକିମ ପାଇଁ କିଛି ସମସ୍ୟା ନାହିଁ। ତେବେ ଅନ୍ୟ ୪ ରାଜ୍ୟ ମହାରାଷ୍ଟ୍ର, ହରିଆଣା, ଝାଡ଼ଖଣ୍ଡ, ଜାମ୍ମୁ-କାଶ୍ମୀର ବିଧାନସଭା ଅବଧିକୁ ୬ ମାସ ହ୍ରାସ କରି ଏକକ ନିର୍ବାଚନରେ ସାମିଲ କରାଯିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି।

ଅନୁରୂପ ଭାବରେ ବିହାର ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ଅନୁଷ୍ଠିତ ହେବ। ତେଣୁ ଚଳିତ ଅବଧି ପୂର୍ଣ୍ଣ ହେବା ପରେ ଦୁଇ ବିଧାନସଭାର ଅବଧିକୁ ହ୍ରାସ କରାଯିବ। ଦିଲ୍ଲୀ ବିଧାନସଭାର ଅବଧି ୧୦ ମାସ ଓ ବିହାର ବିଧାନସଭା ଅବଧି ୩ବର୍ଷ ୬ ମାସ ରହିବ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଆସନ୍ତା ୨୦୨୬ ଏପ୍ରିଲରୁ ଜୁନ୍‌ ମଧ୍ୟରେ ଅନୁଷ୍ଠିତ ହେବ। ତେଣୁ ଏକକ ନିର୍ବାଚନ ନିମନ୍ତେ ଏହି ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ୩୬ ମାସରୁ ୪୨ ମାସ ମଧ୍ୟରେ ରଖାଯିବ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ରାଜ୍ୟର ବର୍ତ୍ତମାନ ବିଧାନସଭା ଅବଧି ସର୍ବାଧିକ ୬ ମାସ ଯାଏ ହ୍ରାସ କରାଯାଇ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ୨୦୨୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପରବର୍ତ୍ତୀ ବିଧାନସଭାର ଅବଧି ଧାର୍ଯ୍ୟ ହେବ।

ସେହିପରି ଗୁଜରାଟ, କର୍ଣ୍ଣାଟକ, ହିମାଚଳ, ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରା ଆଦି ରାଜ୍ୟର ବର୍ତ୍ତମାନର ବିଧାନସଭା ଅବଧିକୁ ୧୩ ମାସରୁ ୧୭ ମାସ ପର୍ଯ୍ୟନ୍ତ ହ୍ରାସ କରାଯାଇ ବିଧାନସଭା ନିର୍ବାଚନ କରାଯିବ ଏବଂ ପରବର୍ତ୍ତୀ ବିଧାନସଭାର ଅବଧି ୨୦୨୯ ନିର୍ବାଚନ ପର୍ଯ୍ୟନ୍ତ ରହିବ। ଫଳରେ ସବୁ ରାଜ୍ୟଗୁଡ଼ିକର ବିଧାନସଭାର କାର୍ଯ୍ୟକାଳ ଜୁନ୍‌ ୨୦୨୯ ସୁଦ୍ଧା ଶେଷ ହୋଇ ପାରିବ। ସୂଚନା ଅନୁସାରେ ଏକ ଦେଶ, ଏକ ନିର୍ବାଚନ କମିଟି ଅଧ୍ୟକ୍ଷ ଶ୍ରୀ କୋବିନ୍ଦ ଏ ସମ୍ପର୍କରେ ଜାତୀୟ ବିଧି ଆୟୋଗଠାରୁ ଏ ସଂକ୍ରାନ୍ତରେ ମତାମତ ଲୋଡ଼ିବେ। ଏହି ମତାମତ ମିଳିବା ପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଏକ ଦେଶ, ଏକ ନିର୍ବାଚନ’ ନିମନ୍ତେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ, ଗୃହମନ୍ତ୍ରୀ ଅମିତ୍‌ ଶାହା, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ପିପିଏ ପାର୍ଟି ନେତା ଗୁଲାମ ନବୀ ଆଜାଦ, ବିତ୍ତ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍‌.କେ.ସିଂହ, ଲୋକସଭାର ପୂର୍ବତନ ମହାସଚିବ ଡ. ସୁଭାଷ କାଶ୍ୟପ ଓ ପୂର୍ବତନ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ସଞ୍ଜୟ କୋଠାରୀ ଏହି କମିଟିରେ ସଦସ୍ୟ ରହିଛନ୍ତି। ସେହିପରି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘାୱାଲ କମିଟିରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବରେ ନିଯୁକ୍ତି ପାଇଛନ୍ତି। କମିଟିର ପ୍ରଥମ ବୈଠକ ଗତ ୨୩ ସେପ୍ଟେମ୍ବରରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି।

ସ୍ୱାଧୀନତା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଦେଶରେ ଏକତ୍ର ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ୧୯୬୮ ଓ ୧୯୬୯ରେ କିଛି ବିଧାନସଭାକୁ ଅବଧି ପୂର୍ବରୁ ଭଙ୍ଗ କରାଯାଇଥିଲା ଓ ୧୯୭୦ରେ ଅବଧି ଶେଷ ପୂର୍ବରୁ ଲୋକସଭା ମଧ୍ୟ ଭଙ୍ଗ ହୋଇଥିଲା। ପରିଣତି ସ୍ୱରୂପ ସାରା ଦେଶରେ ସ୍ୱାଧୀନତା ପରେ ପ୍ରଚଳିତ ‘ଏକ ଦେଶ, ଏକ ନିର୍ବାଚନ’ ପରମ୍ପରା ଭାଙ୍ଗି ଯାଇଥିଲା।

About The Author: The Sakala