କଟକ: ଆରପାରିରେ ଓଲିଉଡର ଜଣାଶୁଣା କ୍ୟାମେରାମ୍ୟାନ ଦୀଲ୍ଲିପ ରାୟ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୀଲ୍ଲିପ ରାୟଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ତାଙ୍କୁ ହୃଦଘାତ ଯୋଗୁଁ ବ୍ରେନ୍ ଷ୍ଟ୍ରୋକ୍ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭଲ ପାଉଥିବା ଅନେକ ଶୁଭେଚ୍ଛୁ, ବନ୍ଧୁ ଓ ଆତ୍ମୀୟସ୍ୱଜନ ଡାକ୍ତରଖାନାରେ ପହଞ୍ଚି ତାଙ୍କର ଶେଷ ଦର୍ଶନ ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ସୂଚନା ଅନୁସାରେ, ବର୍ତ୍ତମାନ କଟକ ଗୋରାକବର ବାସଭବନରେ ଦୀଲ୍ଲିପ ରାୟଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି।
ଶ୍ରୀ ରାୟ ୧୯୫୭ରେ କଟକରେ ଜନ୍ମଗ୍ରହଣ କରିଥିଲେ । ୧୯୮୨ରେ ବେଙ୍ଗାଲୁରୁ ଏଫ୍ଟିଆଇରୁ ମୋସନ୍ ପିକ୍ଚର ଫଟୋଗ୍ରାଫିରେ ଡିପ୍ଲୋମା ପାସ୍ କରିଥିଲେ । ୪ ଦଶନ୍ଧିରୁ ଅଧିକ ସମୟ ଧରି ସର୍ବଭାରତୀୟ ସିନେମା ଓ ଟେଲିଭିଜନ ଜଗତରେ କାର୍ଯ୍ୟ କରିଥିଲେ । ପାଖାପାଖି ୭୦ ଓଡ଼ିଆ, ୧୫ ବଙ୍ଗଳା ଏବଂ ୮ ଛତିଶଗଡ଼ି ଚଳଚ୍ଚିତ୍ରରେ କାମ କରିଛନ୍ତି । ଅନେକ ପ୍ରାମାଣିକ ଚିତ୍ର ଓ ଟେଲି ଧାରାବାହିକରେ କାମ କରିଛନ୍ତି । ଦୂରଦର୍ଶନ ପାଇଁ ପ୍ରାମାଣିକ ଚିତ୍ର ଓ କିଛି ସିରିଜ୍ ଲାଗି ନିର୍ଦ୍ଦେଶନା ବି ଦେଇଥିଲେ । ବହୁ ବଡ଼ ବଡ଼ ସିନେ ନିର୍ମାତାଙ୍କ ସହ କାମ କରିବା ସାଙ୍ଗକୁ ଅନେକ ପୁରସ୍କାର ଓ ପ୍ରଶଂସା ସାଉଁଟିଥିଲେ । ଶ୍ରେଷ୍ଠ ସିନେମାଟୋଗ୍ରାଫର ଭାବେ ୩ ଥର (୧୯୮୬ରେ ‘ତ୍ରିସନ୍ଧ୍ୟା’, ୨୦୧୬ରେ ‘ଚିନି’, ୨୦୨୨ରେ ‘ଭିଜା ମାଟିର ସ୍ୱର୍ଗ’) ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।