ଭୁବନେଶ୍ୱର: କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୪ରେ ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତା ବିଶ୍ୱନାଥ ରଥ କୋଟପାଡ଼ ହସ୍ତତନ୍ତର ପ୍ରଦର୍ଶନ ସହ ହାବାସପୁରୀ ହସ୍ତତନ୍ତ ଉପରେ ଫିଚର ଡକ୍ୟୁମେଣ୍ଟାରୀ ପୋଷ୍ଟର ଉନ୍ମୋଚନ କରି ଇତିହାସ ସୃଷ୍ଟି କରିଛନ୍ତି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଲେଖକ-ନିର୍ଦ୍ଦେଶକ ବିଶ୍ୱନାଥ ରଥ ଏବଂ ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ, ମ୍ୟୁଜିକ୍ ଭିଡିଓ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ତଥା ଓଟିଟି ପ୍ଲାଟଫର୍ମରେ ଓଡ଼ିଶା ସମତେ ଭାରତ ଏବଂ ଏପରିକି ଏସିଆର ପ୍ରତିନିଧିତ୍ୱ କରିବାରେ ପୂର୍ବରୁ ମଧ୍ୟ ବେଶ୍ ସୁନାମ ଅର୍ଜନ କରିଛନ୍ତି।
କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ ପ୍ରଥମ ଥର ଗସ୍ତରେ ଯାଇ ବିଶ୍ୱନାଥ ତାଙ୍କ ଆଗାମୀ ଓଡ଼ିଆ-ଇଂରାଜୀ ଫିଚର-ଡକ୍ୟୁମେଣ୍ଟାରୀ ପୋଷ୍ଟର ‘ହାବାସପୁରୀ ୱେଭିଂ: ଦ ସେକେଣ୍ଡ ଏଣ୍ଡ୍ ଲାଷ୍ଟ ଡେଥ୍’ ଉନ୍ମୋଚନ କରିଛନ୍ତି। ଏହା ହାବାସପୁରୀ ହସ୍ତତନ୍ତ ବିଷୟ ଉପରେ ଆଧାରିତ। ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ଅନନ୍ୟ, ପୁରାତନ, ପ୍ରଶଂସିତ ହସ୍ତତନ୍ତ ହୋଇଥିବା ବେଳେ ବର୍ତ୍ତମାନ ଏହା ବିଲୁପ୍ତ ପ୍ରାୟ। ସେହିପରି ହସ୍ତତନ୍ତ ଡକ୍ୟୁମେଣ୍ଟାରୀ ‘କୋଟପାଡ଼ ୱେଭିଙ୍ଗ: ଦ ଷ୍ଟୋରି ଅଫ ଏ ରେସ୍ ଏଗନେଷ୍ଟ ଟାଇମ’ ର ପଦାଙ୍କ ଅନୁସରଣ କରି ଏହି ଉଲ୍ଲେଖନୀୟ ଫିଚର୍ ଡକ୍ୟୁମେଣ୍ଟାରୀ ଓଡ଼ିଶାର ସମୃଦ୍ଧ କାରିଗର ଐତିହ୍ୟକୁ ସଂରକ୍ଷଣ କରିବାରେ ସହାୟକ ହେବ। ବିଶ୍ୱନାଥ ରଥ ତାଙ୍କ ବ୍ୟାନର ‘ବିଏନ୍ଆର ଫିଲ୍ମସ୍’ ରେ ଏହି ଫିଚର ଡକ୍ୟୁମେଣ୍ଟାରୀର ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମୟୂର ମହାପାତ୍ର। ଓଡ଼ିଶା ତଥା ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା କାନ୍ସ ଫିଲ୍ମ ଫେଷ୍ଟିଭାଲ ଇତିହାସରେ ପ୍ରଥମ ଥର ପାଇଁ କୋଟପାଡ଼ ହସ୍ତତନ୍ତ ପ୍ରଦର୍ଶନ କରାଯାଇଥିଲା। ଏନେଇ ବିଶ୍ୱନାଥ କହିଛନ୍ତି ଯେ, କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ଏହା ମୋର ପ୍ରଥମ ଅନୁଭୂତି। ଯଦିଓ ପୂର୍ବରୁ ସମ୍ୱଲପୁରୀ ହସ୍ତତନ୍ତ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହୋଇଛି, ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ର ମହୋତ୍ସବରେ କୋଟପାଡ଼ ହସ୍ତତନ୍ତ ବିଶ୍ୱବ୍ୟାପି ପ୍ରଦର୍ଶିତ ହୋଇଥିଲା; ଯାହା ଓଡ଼ିଶା ପାଇଁ ଗର୍ବର ବିଷୟ।