କେନ୍ଦୁଝର DLO ଆକାଶ ବିଷୋୟୀଙ୍କ ଘରୁ ୭ ଲକ୍ଷ ୨୯ ହଜାର ଟଙ୍କା, ୩୦୦ ଗ୍ରାମ ସୁନା ଜବତ

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ (DLO) ଆକାଶ ବିଷୋୟୀ । ଲାଞ୍ଚ ମାମଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଇଥିବା ଚଢ଼ାଉ ବେଳେ ତାଙ୍କ ଘରୁ ୭ ଲକ୍ଷ ୨୯ ହଜାର ୨୦୦ ଟଙ୍କା ନଗଦ ଏବଂ ପ୍ରାୟ ୩୦୦ ଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଛି। ଗତକାଲି ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ରଙ୍ଗେହାତ ଧରାପଡ଼ିଥିଲେ ଆକାଶ । 

ସୂଚନା ଅନୁଯାୟୀ, ଗତ ରବିବାର ସନ୍ଧ୍ୟାରେ ଜଣେ ଇଲେକ୍ଟ୍ରିକାଲ୍ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଏଲ୍ଏସ୍-୧ (OLS-I) ଅଧିକାରୀ ଆକାଶ ବିଷୋୟୀଙ୍କୁ ଭିଜିଲାନ୍ସ ଟିମ୍ ହାତେହାତେ ଧରିଥିଲା। ଉକ୍ତ ଠିକାଦାର ଜଣକ ଟିପିଏନଓଡିଏଲ୍ (TPNODL) ପାଇଁ ବିଦ୍ୟୁତ୍ ସ୍ଥାପନ କାର୍ଯ୍ୟ କରୁଥିଲେ ଏବଂ ନିଜ ସଂସ୍ଥା ସପକ୍ଷରେ ଶ୍ରମ ଲାଇସେନ୍ସ (labour licence) ପାଇବାକୁ ଆବେଦନ କରିଥିଲେ। ଓଡ଼ିଶା ସରକାରଙ୍କ ଶ୍ରମ ଏବଂ ଇଏସ୍ଆଇ ବିଭାଗର ନିୟମ ଅନୁଯାୟୀ ସେ ଗତ ୧୪ ଅଗଷ୍ଟ ୨୦୨୬ ରେ ଏହି ଲାଇସେନ୍ସ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ତେବେ ଅଗଷ୍ଟ ୧୬ ତାରିଖରେ ଯେତେବେଳେ ଠିକାଦାର ଜଣକ ଲାଇସେନ୍ସ ସମ୍ପର୍କରେ ପଚାରିଥିଲେ, ସେତେବେଳେ ଶ୍ରମ ଅଧିକାରୀ କାମ କରାଇଦେବା ବଦଳରେ ୨୦,୦୦୦ ଟଙ୍କା ଦାବି କରିଥିଲେ। ଏହା ପରେ ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ କରିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଆକାଶ ବିଷୋୟୀଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ଯାଞ୍ଚ ସମୟରେ କେନ୍ଦୁଝରସ୍ଥିତ ତାଙ୍କ ସରକାରୀ ବାସଭବନରୁ ସମୁଦାୟ ୭.୨୯ ଲକ୍ଷ ଟଙ୍କା ନଗଦ ଏବଂ ବହୁ ମୂଲ୍ୟବାନ ସୁନା ଅଳଙ୍କାର ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହି ଘଟଣାକୁ ନେଇ ଭିଜିଲାନ୍ସର ଅଧିକ ତଦନ୍ତ ଜାରି ରହିଛି। 

About The Author: Madhusudan Das