ହାଇଦ୍ରାବାଦରେ ଓଡ଼ିଶା ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଯାଉଣୁ ହାଇଦ୍ରାବାଦରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ହାଇଦ୍ରାବାଦର ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଜଘନ୍ୟ ଘଟଣା ଘଟିଛି।
 
ଅଭିଯୋଗ ଅନୁଯାୟୀ, ଭରତପୁର ଅଞ୍ଚଳରେ ରହୁଥିବା ଯୁବତୀଜଣଙ୍କ ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିବା ବେଳେ ତାଙ୍କର ୪ବର୍ଷର ପୁଅଟିଏ ମଧ୍ୟ ରହିଛି। ସ୍ୱାମୀ ପେଟବଶିରାବାଦର କୋମପାଲି ଅଞ୍ଚଳରେ ନିର୍ମାଣ କାମ କରୁଥିବା ଏକ କମ୍ପାନୀରେ ଇଲେକ୍ଟ୍ରୋନିକ ରକ୍ଷଣାବେକ୍ଷଣା ବିଭାଗରେ କାମ କରୁଥିଲେ। ୬ମାସ ପୂର୍ବେ ପତ୍ନୀ ଓ ପୁଅ ମଧ୍ୟ ସେଠାକୁ ଯାଇଥିଲେ। ପତ୍ନୀ କମ୍ପାନୀରେ କାମ କରୁଥିବା ଶ୍ରମିକଙ୍କ ପିଲାମାନଙ୍କୁ ପଢ଼ାଇବା ସହ କମ୍ପାନୀ ପରିସରରେ ଥିବା କ୍ୱାର୍ଟର‌୍ରେ ସ୍ୱାମୀ ଓ ପୁଅ ସହ ରହୁଥିଲେ। ନିକଟରେ ସ୍ୱାମୀଙ୍କର ଦୁବାଇର ଏକ କମ୍ପାନୀରେ ଚାକିରି ସ୍ଥିର ହୋଇଯାଇଥିଲା। ହେଲେ ପାସ୍‌ପୋର୍ଟରେ ତ୍ରୁଟି ଥିବାରୁ ଦୁବାଇ ଯିବାରେ ଅସୁବିଧା ହୋଇଥିଲା। ପାସପୋର୍ଟରେ ନାମ ସଂଶୋଧନ କରିବା ପାଇଁ ସ୍ବାମୀ ତାଙ୍କ ପୁଅକୁ ନେଇ ଗତ ଶନିବାର  ହାଇଦ୍ରାବାଦରୁ ବାହାରି ରବିବାର ଦିନ ଭୁବନେଶ୍ବରରେ ପହଞ୍ଚିଥିଲେ। ହେଲେ ଗତକାଲି ରାତିରେ କମ୍ପାନୀ କର୍ମଚାରୀ ତାଙ୍କୁ ଫୋନ କରି ପତ୍ନୀ ଅସୁସ୍ଥ ଥିବା ଜଣାଇଥିଲେ। ସ୍ୱାମୀ ଅନ୍ୟ କୌଣସି ଉପାୟ ନପାଇ ଗୁରୁବାର ସକାଳୁ ଭୁବନେଶ୍ୱରରୁ ବିମାନ ଯୋଗେ ହାଇଦ୍ରାବାଦ ଯାଇଥିଲେ। ସେଠାରେ ପହଞ୍ଚିବା ବେଳକୁ ପତ୍ନୀ ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଥିଲେ।
 
କମ୍ପାନୀର କର୍ମଚାରୀଙ୍କୁ ପଚରାଉଚରା କରିବା ପରେ ସାଙ୍ଘାତିକ କଥା ଜାଣିବାକୁ ପାଇଥିଲେ। ବୁଧବାର ରାତିରେ ପତ୍ନୀ ଗାଧୋଇବାକୁ ଯାଇଥିବା ବେଳେ କମ୍ପାନୀର ଇନ୍‌ଚାର୍ଜ ଘର ଭିତରେ ପଶି ଖଟ ତଳେ ଲୁଚି ରହିଥିଲା। ମହିଳାଜଣଙ୍କ ରୁମ୍‌କୁ ଆସିବା ପରେ ତାଙ୍କୁ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା। ପରେ ତାଙ୍କୁ ହତ୍ୟା କରିଥିଲା। ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଏକାଠି ହୋଇ ରୁମ୍ ନିକଟକୁ ଧାଇଁ ଆସି ସଂପୃକ୍ତ ବ୍ୟକ୍ତିକୁ ଘରୁ ବାହାର କରିଥିଲେ। ମହିଳାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଚାଞ୍ଚଲ୍ୟ କର କଥା ଜାଣିବା ପରେ ମହିଳାଙ୍କ ମା’ ଯୁଗ୍ମ ଶ୍ରମ କମିସନର ଓ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

About The Author: Deviprasad Mohanty