ହାଇଦ୍ରାବାଦ: ତେଲୁଗୁ ଦେଶମପାର୍ଟିର ପ୍ରତିଷ୍ଠାତା ନନ୍ଦମୁରୀ ତାରକ ରାମାରାଓ (ଏନଟିଆର)ଙ୍କ ସାନ ଝିଅ ଉମା ମାହେଶ୍ୱରୀ ଆତ୍ମହତ୍ୟା କରିଛନ୍ତି । ଉମା ମାହେଶ୍ୱରୀଙ୍କ ଝୁଲନ୍ତା ମୃତଦେହ ସୋମବାର ତାଙ୍କ ବାସ ଭବନ ହାଇଦ୍ରାବାଦର ଜୁବଲୀ ହିଲ୍ସରୁ ଉଦ୍ଧାର ହୋଇଛି। ସେ ଘରେ ଥିବା ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୀର୍ଘ ମାସ ହେବ ଉମା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ସେହିପରି ତାଙ୍କର ଏକାଧିକ ଚିକିତ୍ସା ମଧ୍ୟ ଚାଲିଥିଲା। ସମ୍ଭବତଃ ଏହି କାରଣ ପାଇଁ ସେ ଜୀବନ ହାରିଥିବା କୁହାଯାଉଛି।
ଟିଡିପିର ପ୍ରତିଷ୍ଠାତା ଏନଟିଆରଙ୍କ ୪ ଝିଅଙ୍କ ମଧ୍ୟରୁ ଉମା ହେଉଛନ୍ତି ସବୁଠାରୁ ସାନ। ସେ ହଠାତ୍ ଆତ୍ମହତ୍ୟା କରିଥିବାରୁ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏନ.ଟି ରାମା ରାଓ ନିଜ କ୍ୟାରିୟରରେ ଏକ କଳାକାର, ନିର୍ଦ୍ଦେଶକ ଏବଂ ନିର୍ମାତା ଭାବେ କାମ କରିଥିଲେ। ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ଟିଡିପିର ପ୍ରତିଷ୍ଠା କରିଥିଲେ । ସେ ଆନ୍ଧ୍ରପ୍ରଦେଶର ସିଏମ୍ ବି ରହିସାରିଛନ୍ତି ।