ଭୁବନେଶ୍ୱର : ନିର୍ବାଚନକୁ ଆଖି ଆଗରେ ରଖି ମାଓବାଦୀମାନେ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ହିଂସା ଘଟାଉଛନ୍ତି। ଗାଡ଼ି ପୋଡ଼ିବା ସହ ନିରୀହ ଲୋକଙ୍କୁ ଭୋଟ ବର୍ଜନ କରିବା ପାଇଁ ଧମକ ଦେଉଛନ୍ତି। ଏହିଭଳି ଓଡ଼ିଶାର ମାଲକାନଗିରି ଏବଂ କୋରାପୁଟ୍ରେ ମାଓବାଦୀମାନେ ନିର୍ବାଚନ ବର୍ଜନ କରିବାକୁ ପୋଷ୍ଟର୍ ମାରିଛନ୍ତି। ଏହି ପୋଷ୍ଟର ପରେ ଓଡ଼ିଶା ପୁଲିସ ଏବଂ ସୁରକ୍ଷା ବାହିନୀ ସଜାଗ ହୋଇଛନ୍ତି। ସୀମାବର୍ତ୍ତୀ ଅଞ୍ଚଳରେ ଯାଞ୍ଚ କରିବା ସହ ସୁରକ୍ଷା ବଢ଼ାଇ ଦିଆଯାଇଛି।
ଆଗକୁ ନିର୍ବାଚନ ଥିବାରୁ ମାଓବାଦୀମାନେ ଓଡ଼ିଶାରେ ହିଂସା ଘଟାଇବାର ସମ୍ଭାବନା ରହିଛି। ତେଣୁ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଓଡ଼ିଶା ପୁଲିସ ୮ଟି ଅତ୍ୟାଧୁନିକ ଡ୍ରୋନ୍ ଆଣୁଛି। ଏହି ଡ୍ରୋନ୍ ଖୁବ୍ଶୀଘ୍ର ଓଡ଼ିଶାରେ ପହଞ୍ଚି କାର୍ଯ୍ୟ କରିବ। ଉକ୍ତ ଡ୍ରୋନ୍ ପକ୍ଷୀ ଆକୃତିର ହୋଇଥିବା ବେଳେ ଉଡ଼ିବା ସମୟରେ ଶବ୍ଦ ଏବଂ ରଙ୍ଗ ବାରିବା ସମ୍ଭବପର ନୁହେଁ। ପକ୍ଷୀ ଭଳି ଘଞ୍ଚ ଜଙ୍ଗଲ ଉପରେ ଏହି ଡ୍ରୋନ୍ ଉଡ଼ି ବୁଲିବ। ଏହାକୁ ଜଣେ ଅଧିକାରୀ ମନିଟରିଂ କରିବେ। ଡ୍ରୋନ୍ ଫଟୋ ଏବଂ ଭିଡିଓ ସଂଗେସଂଗେ ଲଗାଯାଇଥିବା ଡିସ୍ପ୍ଲେ’ରେ ଉପଲବ୍ଧ ହେବ। ଫଳରେ ସହଜରେ ମାଓବାଦୀଙ୍କୁ ଚିହ୍ନଟ କରାଯାଇ ପାରିବ ବୋଲି ମାଓ-ଅପରେସନ୍ରେ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଅହୁରି ମଧ୍ୟ ପ୍ରଥମଥର କର୍ଣ୍ଣର ସଟ୍-ଗନ କିଣା ହେବା ନେଇ ନିଷ୍ପତ୍ତି ହୋଇଛି। କେବେଳ ଏହି ଦୁଇଟି ଅତ୍ୟାଧୁନିକ ବନ୍ଧୁକ ନୁହେଁ, ଏହିଭଳି ଅନେକ ବନ୍ଧୁକ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ଅତ୍ୟାଧୁନିକ ବନ୍ଧୁକଚାଳନା ପାଇଁ ଓଡ଼ିଶାରେ ନୂଆ କରି ଖୋଲିବ ଏସ୍ଟିସି। ମାଓ ଅପରେସନ୍ ବା ଆତଙ୍କବାଦୀ ଆକ୍ରମଣ ଭଳି ପରିସ୍ଥିତି ମୁକାବିଲା ପାଇଁ ଯବାନମାନଙ୍କୁ ଦିଆଯିବ ଟ୍ରେନିଂ। ନୂଆନୂଆ ଢାଞ୍ଚାରେ ନୂଆନୂଆ ଅସ୍ତ୍ରଶସ୍ତ୍ରର ବ୍ୟବହାର ଶିଖି କିଭଳି ତାକୁ ମାଓ ଅପରେସନ୍ରେ ବ୍ୟବହାର କରାଯିବ, ତାହା ଉପରେ ଧ୍ୟାନ ଦିଆଯିବ।