ଭୁବନେଶ୍ୱର: ଓଡ଼ିଶା ପୋଲିସ ପକ୍ଷରୁ ଅଫିସ୍ ପରିସରରେ ବିଦ୍ୟୁତ ବ୍ୟବହାରକୁ ନେଇ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ପୋଲିସ ଜିଲ୍ଲା, ରେଞ୍ଜ, ପ୍ରତିଷ୍ଠାନ ଓ ବାଟାଲିୟନ ମୁଖ୍ୟମାନଙ୍କୁ ପଠାଯାଇଥିବା ଏକ ଚିଠିରେ ଅଫିସ୍ ଭବନରୁ ଆବାସିକ କ୍ୱାର୍ଟର କିମ୍ବା ବ୍ୟାରାକକୁ ବେଆଇନ ବିଦ୍ୟୁତ ସଂଯୋଗ ଦେବା, ଅଫିସ୍ ବିଦ୍ୟୁତରେ ବ୍ୟକ୍ତିଗତ ଇଲେକ୍ଟ୍ରିକ୍ ଗାଡ଼ି (EV) ଚାର୍ଜ କରିବା ଓ ଅନୁମତି ବିନା ବିଦ୍ୟୁତର ଅନ୍ୟାନ୍ୟ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଚିଠିରେ କୁହାଯାଇଛି କି, କେତେକ ପୋଲିସ ପ୍ରତିଷ୍ଠାନରେ ମୁଖ୍ୟ ଅଫିସ୍ ବିଦ୍ୟୁତ ଲାଇନରୁ କ୍ୱାର୍ଟର ଓ ବ୍ୟାରାକକୁ ସଂଯୋଗ ଦିଆଯାଉଥିବା ନଜରକୁ ଆସିଛି। ଏହା ପ୍ରଚଳିତ ନିୟମର ଉଲ୍ଲଂଘନ ବୋଲି ଦର୍ଶାଯାଇଛି। ସେହିପରି କେତେକ କର୍ମଚାରୀ ଅଫିସ୍ ବିଦ୍ୟୁତ ବ୍ୟବହାର କରି ନିଜସ୍ୱ ଇଲେକ୍ଟ୍ରିକ୍ ଗାଡ଼ି ଚାର୍ଜ କରୁଥିବାରୁ ସରକାରଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପଡ଼ୁଥିବା ଉଲ୍ଲେଖ କରାଯାଇଛି।
ଏଥିସହ ବ୍ୟାରାକରେ ରୋଷେଇ ପାଇଁ ଇଲେକ୍ଟ୍ରିକ୍ ହିଟର ବ୍ୟବହାର କରାଯାଉଥିବାରୁ ଅତ୍ୟଧିକ ବିଦ୍ୟୁତ ଖର୍ଚ୍ଚ ସହ ସୁରକ୍ଷା ଜନିତ ବିପଦ ସୃଷ୍ଟି ହେଉଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ଏହି ପରିସ୍ଥିତିରେ ସମସ୍ତ ପୋଲିସ ପ୍ରତିଷ୍ଠାନ ମୁଖ୍ୟଙ୍କୁ ନିଜ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକରେ ତୁରନ୍ତ ଯାଞ୍ଚ କରି ବେଆଇନ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ସହ ଏପରି କାର୍ଯ୍ୟକଳାପ ବନ୍ଦ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନଧିକୃତ ବିଦ୍ୟୁତ ସଂଯୋଗ କିମ୍ବା ଅଫିସ୍ ବିଦ୍ୟୁତର ଦୁରୁପଯୋଗ ଧରାପଡ଼ିଲେ ତୁରନ୍ତ ସଂଯୋଗ ବିଚ୍ଛିନ୍ନ କରାଯିବ। ଏଥିସହ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ପ୍ରଚଳିତ ନିୟମ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।