ଓଡ଼ିଶାର ସ୍କୁଲ ରୂପାନ୍ତରଣ ଢାଞ୍ଚାରେ ହେବ କେନ୍ଦ୍ରର ‘ପିଏମ୍‍ ଶ୍ରୀ ସ୍କୁଲ୍‍’ ଯୋଜନା; ବଦଳିବ ସାରା ଦେଶର ୧୪,୫୦୦ ଶିକ୍ଷାନୁଷ୍ଠାନର ରୂପ

ଭୁବନେଶ୍ୱର: ଓଡ଼ିଶା ଢାଞ୍ଚାରେ ବଦଳିବ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ରୂପରେଖ। ପୁରୁଣା ସରକାରୀ ସ୍କୁଲଗୁଡ଼ିକ ମଧ୍ୟ ନୂଆ ରୂପ ପାଇବ। ଓଡ଼ିଶା ସରକାରଙ୍କ ‘୫-ଟି’ ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ଢାଞ୍ଚାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟର ନବ କଳେବର ଯୋଜନା କରାଯାଇଛି। ଓଡ଼ିଶା ମଡେଲର ଅନୁକରଣରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ‘ପିଏମ ଶ୍ରୀ ସ୍କୁଲ’ ନାମରେ ଏହି ନୂଆ ଯୋଜନା ଆରମ୍ଭ କରିଛି। ଗୁରୁ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଏହି […]

ଭୁବନେଶ୍ୱର: ଓଡ଼ିଶା ଢାଞ୍ଚାରେ ବଦଳିବ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ରୂପରେଖ। ପୁରୁଣା ସରକାରୀ ସ୍କୁଲଗୁଡ଼ିକ ମଧ୍ୟ ନୂଆ ରୂପ ପାଇବ। ଓଡ଼ିଶା ସରକାରଙ୍କ ‘୫-ଟି’ ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ଢାଞ୍ଚାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟର ନବ କଳେବର ଯୋଜନା କରାଯାଇଛି। ଓଡ଼ିଶା ମଡେଲର ଅନୁକରଣରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ‘ପିଏମ ଶ୍ରୀ ସ୍କୁଲ’ ନାମରେ ଏହି ନୂଆ ଯୋଜନା ଆରମ୍ଭ କରିଛି। ଗୁରୁ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଏହି ପିଏମ୍‍ ଶ୍ରୀ ସ୍କୁଲ୍‍କୁ ଉଦ୍‍ଘାଟନ କରିଛନ୍ତି। ଦେଶର ୧୪ ହଜାର ୫ଶହ ସ୍କୁଲ ରୂପାନ୍ତରଣ ପାଇଁ ଯୋଜନା ରଖାଯାଇଥିବା ବେଳେ ପ୍ରତ୍ୟେକ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରତି ବ୍ଲକରୁ ପ୍ରାୟ ୨ଟି ଲେଖାଏଁ ସ୍କୁଲକୁ ଏଥିଲାଗି ଚୟନ କରାଯିବ। ଓଡ଼ିଶାର ପ୍ରାୟ ୫ଶହ ସ୍କୁଲ୍‍ ଏହି ଯୋଜନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ସରକାରଙ୍କ ‘କାଳିଆ’, ‘ମମତା’, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ଢାଞ୍ଚାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହିକ୍ରମରେ ରାଜ୍ୟର ଆଉ ଏକ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଆପଣାଇବାକୁ ଯାଉଛନ୍ତି। ‘ପିଏମ ଶ୍ରୀ ସ୍କୁଲ’ ଯୋଜନାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅତ୍ୟାଧୁନିକ ଢାଞ୍ଚାରେ ରୂପାନ୍ତରଣ କରାଯିବ। ଏହା ଶୈକ୍ଷିକ ପଦ୍ଧତିକୁ ବିକଶିତ କରି ପିଲାଙ୍କୁ ଯୁଗ ଉପଯୋଗୀ ଶିକ୍ଷା ପ୍ରଦାନ କରିବ। ଉଦ୍ଭାବନ ଆଧାରିତ, ଶିକ୍ଷଣ କୈନ୍ଦ୍ରୀୟ ପଦ୍ଧତିରେ ଶିକ୍ଷାଦାନ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ୍‍ ପ୍ରସ୍ତୁତ ସହ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ। ଏହି ନୂଆ ଯୋଜନାରେ କେଭି, ଜେଏନଭି ଓ ଏକଲବ୍ୟ ବିଦ୍ୟାଳୟ ଆଦି ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଏଥିରେ ସାମିଲ୍‍ କରାଯିବ।

ଅପରପକ୍ଷେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଓ ‘୫-ଟି’ ସ୍କୁଲ ରୂପାନ୍ତରଣ ଯୋଜନାକୁ ଚାରିଆଡ଼େ ଉଚ୍ଚ ପ୍ରଶଂସା ମିଳିବାରେ ଲାଗିଛି। ଖୋଦ୍‍ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଶିକ୍ଷା ଓ ସାକ୍ଷରତା ବିଭାଗ ନିର୍ଦ୍ଦେଶିକା ଋତୁ ସେନ୍‍ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏହି ଯୋଜନାର ଉଚ୍ଚ ପ୍ରଶଂସା କରିବା ସହିତ ଏହି ରୂପାନ୍ତରଣ କାର୍ଯ୍ୟକ୍ରମକୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଥିଲେ। ସେହିପରି ମଧ୍ୟପ୍ରଦେଶ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ହାଇସ୍କୁଲ ରୂପାନ୍ତରଣ ଯୋଜନା ଦେଖି ଅବିଭୂତ ହେବା ସହ ଏହାକୁ ମଧ୍ୟପ୍ରଦେଶରେ ଲାଗୁ କରିବେ ବୋଲି ମଧ୍ୟ କହିଥିଲେ। ଓଡ଼ିଶା ସରକାର ଇତିମଧ୍ୟରେ ପାଖାପାଖି ୪ ହଜାର ହାଇ ସ୍କୁଲ ରୂପାନ୍ତରଣ ସାରିଥିବାବେଳେ ଆସନ୍ତା ବର୍ଷ ସୁଦ୍ଧା ୮ ହଜାର ସ୍କୁଲର ରୂପାନ୍ତରଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି।

About The Author: The Sakala