ଭୁବନେଶ୍ୱର/ବରଗଡ଼: ହାତରେ ଥିଲା ଆୟୁଷ୍ମାନ କାର୍ଡ, ମନରେ ପୁଅର ଚିକିତ୍ସା ହେବାର ଆଶା। ପୁଅର ଚିକିତ୍ସା ପାଇଁ ଆୟୁଷ୍ମାନ କାର୍ଡ ଧରି ଛତିଶଗଡ଼ ଯାଇଥିଲେ ବରଗଡ଼ର ବଳରାମ ପ୍ରଧାନ। କିନ୍ତୁ ଛତିଶଗଡ଼ରେ କାମ କଲା ନାହିଁ ଓଡ଼ିଶା ସରକାରଙ୍କ ‘ଆୟୁଷ୍ମାନ’ କାର୍ଡ। ଡାକ୍ତରଖାନା କର୍ତ୍ତୃପକ୍ଷ ସିଧାସିଧା ଏହି କାର୍ଡରେ ପରୀକ୍ଷାନିରୀକ୍ଷା ସୁବିଧା ନାହିଁ ବୋଲି ମନା କରିଦେଲେ। ଶେଷରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ରୋଗଣା ପୁଅକୁ ଧରି ନିରାଶ ହୋଇ ଫେରିଲେ ଗରିବ ବାପା। ଯାହାକୁ ନେଇ ସାଧାରଣରେ ଆୟୁଷ୍ମାନ କାର୍ଡର କାର୍ଯ୍ୟକାରିତାକୁ ନେଇ କେବଳ ପ୍ରଶ୍ନବାଚୀ ସୃଷ୍ଟି କରିନାହିଁ; ସରକାରୀ ସ୍ୱାସ୍ଥ୍ୟ ଯୋଜନାର ବାସ୍ତବ ଉପଯୋଗିତାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି କରିଛି।
ବରଗଡ଼ର ବଳରାମ ପ୍ରଧାନଙ୍କ ପୁଅ କର୍କଟ ରୋଗରେ ଆକ୍ରାନ୍ତ। ପୁଅର ଉନ୍ନତ ଚିକିତ୍ସା ଓ ରୋଗର ସଠିକ୍ ସ୍ଥିତି ଜାଣିବା ପାଇଁ ବଳରାମ ତାଙ୍କୁ ଛତିଶଗଡ଼ର ରାୟପୁରସ୍ଥିତ ଶ୍ରୀ ବାଲାଜୀ ନାମକ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ପୁଅକୁ ଭର୍ତ୍ତି କରାଇବା ପରେ ଡାକ୍ତର ପିଇଟି-ସିଟି ସ୍କାନ୍ କରାଇବାକୁ ପରାମର୍ଶ ଦେଇଥିଲେ। ପରିବାରର ଆଶା ଥିଲା ଯେ ଆୟୁଷ୍ମାନ କାର୍ଡ ଜରିଆରେ ଏହି ପରୀକ୍ଷା ସମେତ ଆବଶ୍ୟକ ଚିକିତ୍ସା ହୋଇପାରିବ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ ଯେ, ଓଡ଼ିଶାର ଆୟୁଷ୍ମାନ କାର୍ଡଧାରୀଙ୍କୁ ସେଠାରେ ପିଇଟି-ସିଟି ସ୍କାନ୍ ସୁବିଧା ମିଳିବ ନାହିଁ। ଏଥିପାଇଁ ୨୦ ହଜାର ଟଙ୍କାରୁ ଅଧିକ ଦେବାକୁ ପଡ଼ିବ।
ଅର୍ଥାଭାବରେ ଜର୍ଜରିତ ବଳରାମଙ୍କ ପାଖରେ ଏତେ ଟଙ୍କା ନଥିଲା। ଫଳରେ ପୁଅର ଜରୁରୀ ପରୀକ୍ଷା କରାଇ ନ ପାରି ସେ ତାକୁ ଧରି ବରଗଡ଼ ଫେରିବାକୁ ବାଧ୍ୟ ହୋଇଥିଲେ। ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)ରେ କର୍କଟ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁଥିଲା। ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ରାଜ୍ୟରେ ବିନା ବାଧାରେ ବିଏସ୍କେୱାଇ କାର୍ଡକୁ ବିଭିନ୍ନ ଡାକ୍ତରଖାନା କର୍ତ୍ତୃପକ୍ଷ ଗ୍ରହଣ କରୁଥିଲେ। ମାତ୍ର ଏବେ ବିଏସ୍କେୱାଇ ବନ୍ଦ କରାଯାଇ ଆୟୁଷ୍ମାନ କାର୍ଡ କାର୍ଯ୍ୟକାରୀ ହେବା ପରେ ରୋଗୀମାନେ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏହି ଘଟଣାକୁ ନେଇ ବରଗଡ଼ କ୍ୟାନସର ଫାଇଟର୍ସ ଗ୍ରୁପ୍ ଅସନ୍ତୋଷ ପ୍ରକାଶ କରିଛି। ଆନ୍ତଃରାଜ୍ୟ ଚିକିତ୍ସା ସମୟରେ ଆୟୁଷ୍ମାନ ଯୋଜନାରେ ପିଇଟି-ସିଟି ସ୍କାନ୍ ଭଳି ଜରୁରୀ ନିଦାନ ପରୀକ୍ଷାର ସୁବିଧା ସ୍ପଷ୍ଟ କରିବାକୁ ଗ୍ରୁପ୍ ଦାବି କରିଛି।