ପୋଲିସ ବିଭାଗରେ ବଡ଼ ସଂସ୍କାର: ଗୋଟିଏ ଥାନାରେ ୩ ବର୍ଷରୁ ଅଧିକ ସମୟ ରହିପାରିବେନି ଅଫିସର

ଓଡ଼ିଶା ସରକାର ରାଜ୍ୟ ପୋଲିସ ବିଭାଗରେ ସ୍ୱଚ୍ଛତା ଆଣିବା ପାଇଁ ଏକ ବଡ଼ ଧରଣର ପ୍ରଶାସନିକ ସଂସ୍କାର ଆଣିଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି କୌଣସି ପୋଲିସ ଅଫିସର ଗୋଟିଏ ଥାନା କିମ୍ବା ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ଧରି ରହିପାରିବେ ନାହିଁ। ସେହିପରି ଗୋଟିଏ ଜିଲ୍ଲାରେ ସେମାନେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବେ ନାହିଁ। ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଜାବୁଡ଼ି ଧରି ବସିଥିବା ଅଧିକାରୀମାନଙ୍କୁ ଚିହ୍ନଟ କରି ତୁରନ୍ତ ବଦଳି କରିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

କାହା ପାଇଁ କ'ଣ ରହିଛି ନିୟମ?

ନୂତନ ସର୍କୁଲାର ଅନୁଯାୟୀ, କନେଷ୍ଟବଳ ଏବଂ ହାବିଲଦାରମାନେ ଗୋଟିଏ ପୋଲିସ ଷ୍ଟେସନରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ସେହିପରି ସବ୍-ଇନ୍ସପେକ୍ଟର (SI) ଏବଂ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ମାନଙ୍କ ପାଇଁ ମଧ୍ୟ ଏହି ୩ ବର୍ଷର କାର୍ଯ୍ୟକାଳ ସୀମା ଲାଗୁ ହେବ। ତେବେ ମେରାଇନ୍ କିମ୍ବା ସାମୁଦ୍ରିକ ଥାନା ଗୁଡ଼ିକରେ କାର୍ଯ୍ୟରତ କନେଷ୍ଟବଳ ଏବଂ ହାବିଲଦାରମାନେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ସେବା ପ୍ରଦାନ କରିପାରିବେ।

ବରିଷ୍ଠ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ

ରାଜ୍ୟରେ ପୋଲିସ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଏବଂ ସ୍ଥାନୀୟ ପ୍ରଭାବକୁ ହ୍ରାସ କରିବା ଲକ୍ଷ୍ୟରେ ଆଇଜିପି (ପର୍ସୋନାଲ୍) ଏସ୍. ପ୍ରବୀଣ କୁମାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସମସ୍ତ ଜିଲ୍ଲାର ଏସପି (SP) ଏବଂ ଭୁବନେଶ୍ୱର-କଟକର ଡିସିପି (DCP) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯେଉଁ ଅଧିକାରୀମାନଙ୍କର କାର୍ଯ୍ୟକାଳ ସରିଯାଇଛି, ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ବଦଳି ପ୍ରକ୍ରିୟା ଆରମ୍ଭ କରାଯାଉ। ଏହି ନିୟମକୁ ବିନା କୌଣସି ବ୍ୟତିକ୍ରମରେ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

୨୦୨୬ ବଦଳି ପ୍ରକ୍ରିୟାର ସମୟସୀମା

ଚଳିତ ୨୦୨୬ ମସିହା ପାଇଁ ବାର୍ଷିକ ବଦଳି ପ୍ରକ୍ରିୟାର ଏକ ସ୍ପଷ୍ଟ ରୂପରେଖ ଜାରି କରାଯାଇଛି। ସାଧାରଣତଃ ଏପ୍ରିଲ ୧୫ ରୁ ଜୁନ ୧୫ ମଧ୍ୟରେ ସମସ୍ତ ବଦଳି ପ୍ରକ୍ରିୟା ଶେଷ କରାଯିବ। ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କିଛି ସମୟସୀମା ନିର୍ଦ୍ଧାରଣ କରାଯାଇଛି:

* ଏପ୍ରିଲ ୨୦: ଜିଲ୍ଲା ସ୍ତରୀୟ ଟ୍ରାନ୍ସଫର ବୋର୍ଡ ବୈଠକ ଅନୁଷ୍ଠିତ ହେବ।

* ଏପ୍ରିଲ ୨୫: ଆନ୍ତଃ-ଜିଲ୍ଲା ବଦଳି ପ୍ରସ୍ତାବ ରେଞ୍ଜ ଅଫିସକୁ ପଠାଯିବ।

* ଏପ୍ରିଲ ୩୦: ରେଞ୍ଜ ସ୍ତରୀୟ ଟ୍ରାନ୍ସଫର ବୋର୍ଡର ବୈଠକ ଶେଷ ହେବ।

* ମେ ୧୦: ରାଜ୍ୟ ମୁଖ୍ୟାଳୟର ଅନୁମୋଦନ ଆବଶ୍ୟକ କରୁଥିବା ପ୍ରସ୍ତାବଗୁଡ଼ିକ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ବାଧ୍ୟତାମୂଳକ।

About The Author: Suryakanta