‘ମନରେଗା’ କାର୍ଯ୍ୟାନ୍ବୟନରେ ସରକାର ବିଫଳ, ଦାଦନ ଚାଲାଣରେ ଅଙ୍କୁଶ ଭାଷଣରେ ସୀମିତ

ଭୁବନେଶ୍ୱର: ସ୍ବଳ୍ପ ମଜୁରୀ ଓ ପର୍ଯ୍ୟାପ୍ତ କର୍ମନିୟୋଜନରେ ଅଭାବ ରାଜ୍ୟରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)କୁ ଲକ୍ଷ୍ୟଚ୍ୟୁତ କରିଛି। ଏହାର ପ୍ରଭାବ ପରୋକ୍ଷରେ ରାଜ୍ୟରେ ଦାଦନ ସମସ୍ୟା ବଢ଼ାଇବାରେ ସହାୟକ ହେଉଛି। ଅନ୍ୟ ରାଜ୍ୟର ମନରେଗା ଶ୍ରମିକଙ୍କ ତୁଳନାର ଓଡ଼ିଶାର ଶ୍ରମିକ କମ୍‌ ମଜୁରୀ ପାଉଛନ୍ତି। ତଥାପି ସେମାନଙ୍କୁ ସରକାର କାମ ଯୋଗାଇବାକୁ ସମର୍ଥ ହୋଇ ପାରିନାହାନ୍ତି। ଗତବର୍ଷ ମନରେଗାରେ ରାଜ୍ୟରେ ୧୭.୬୧ କୋଟି ଶ୍ରମଦିବସ ସୃଷ୍ଟି ହୋଇଥିବାବେଳେ ଚଳିତ ବର୍ଷ ଏହା […]

ଭୁବନେଶ୍ୱର: ସ୍ବଳ୍ପ ମଜୁରୀ ଓ ପର୍ଯ୍ୟାପ୍ତ କର୍ମନିୟୋଜନରେ ଅଭାବ ରାଜ୍ୟରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)କୁ ଲକ୍ଷ୍ୟଚ୍ୟୁତ କରିଛି। ଏହାର ପ୍ରଭାବ ପରୋକ୍ଷରେ ରାଜ୍ୟରେ ଦାଦନ ସମସ୍ୟା ବଢ଼ାଇବାରେ ସହାୟକ ହେଉଛି। ଅନ୍ୟ ରାଜ୍ୟର ମନରେଗା ଶ୍ରମିକଙ୍କ ତୁଳନାର ଓଡ଼ିଶାର ଶ୍ରମିକ କମ୍‌ ମଜୁରୀ ପାଉଛନ୍ତି। ତଥାପି ସେମାନଙ୍କୁ ସରକାର କାମ ଯୋଗାଇବାକୁ ସମର୍ଥ ହୋଇ ପାରିନାହାନ୍ତି। ଗତବର୍ଷ ମନରେଗାରେ ରାଜ୍ୟରେ ୧୭.୬୧ କୋଟି ଶ୍ରମଦିବସ ସୃଷ୍ଟି ହୋଇଥିବାବେଳେ ଚଳିତ ବର୍ଷ ଏହା ୧୦କୋଟି ବି ଅତିକ୍ରମ କରିପାରି ନାହିଁ। ସେହିପରି ଗତବର୍ଷ ରାଜ୍ୟର ୩.୩୯ ଲକ୍ଷ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଥିବାବେଳେ ଚଳିତ ବର୍ଷ ୧.୪୯ ଲକ୍ଷ ପରିବାର ପାଇଛନ୍ତି ୧୦୦ ଦିନର କାମ। ଯାହା ଫଳରେ ଲୋକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି; ସର୍ଦ୍ଦାର ଓ ନିଯୁକ୍ତିଦାତାଙ୍କ ନିର୍ଯାତନା ସହି ନପାରି ପ୍ରାଣ ହରାଉଛନ୍ତି। ପ୍ରତିଦିନ ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ଦାଦନଙ୍କ ପୁଟୁଳିବନ୍ଧା ଶବ ଗାଁକୁ ଫେରୁଥିବା ଦେଖାଯାଉଛି।

ଦାଦନ ଚାଲାଣ ରୋକିବା ଦିଗରେ ସବୁଠାରୁ ବଡ଼ ମାଧ୍ୟମ କୁହାଯାଉ ଥିବା ମନରେଗାର କାର୍ଯ୍ୟାନ୍ୱୟନରେ ସରକାର ବିଫଳତା ଚିନ୍ତାର କାରଣ ସାଜିଛି। ଦାଦନ ଚାଲାଣ ରୋକିବା ପାଇଁ ନୂଆ ସରକାର ଟାସ୍କ ଫୋର୍ସ ଗଠନ କରିଥିବା ବେଳେ ଜିଲ୍ଲା ଓ ବ୍ଲକ୍‌ ସ୍ତରୀୟ କମିଟି ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି; କିନ୍ତୁ ଗରିବ ଲୋକଙ୍କୁ କିପରି କର୍ମନିୟୋଜନ ପ୍ରଦାନ କରିବେ ତାହା ଉପରେ ସରକାର ଗୁରୁତ୍ୱ ନ ଥିବା ଅଭିଯୋଗ ହୋଇଛି। ମନରେଗା ଶ୍ରମିକଙ୍କୁ ପଞ୍ଜାବରେ ୩୨୨ ଟଙ୍କା, ଆନ୍ଧ୍ରରେ ୩୦୦ ଟଙ୍କା, କର୍ଣ୍ଣାଟକରେ ୩୪୯ ଟଙ୍କା, କେରଳରେ ୩୪୬ ଟଙ୍କା, ଗୋଆରେ ୩୫୬ ଟଙ୍କା, ତାମିଲନାଡୁରେ ୩୧୯ ଟଙ୍କା, ତେଲେଙ୍ଗାନାରେ ୩୦୦ ଟଙ୍କା, ନିକୋବାରରେ ୩୪୭ ଟଙ୍କା, ହରିଆନାରେ ୩୭୪ ଟଙ୍କା, ମହାରାଷ୍ଟ୍ରରେ ୨୯୭ ଟଙ୍କା, ସିକ୍କିମ୍‌ରେ ୩୭୪ ଟଙ୍କା ମଜୁରୀ ମିଳୁଛି। ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାର ରାଜ୍ୟରେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୧କୁ ବୃଦ୍ଧି କରିଥିଲେ ସୁଦ୍ଧା ଏବେ ବି ମନରେଗା ଶ୍ରମିକଙ୍କୁ ମାତ୍ର ୨୫୪ ଟଙ୍କା ମଜୁରୀ ପ୍ରଦାନ କରାଯାଉଛି।

ମନରେଗାରେ ଓଡିଶାର ଶ୍ରମିକମାନଙ୍କୁ ଦୈନିକ ୩୦୦ ଦିନ ପର୍ଯ୍ୟନ୍ତ କାମ ଯୋଗାଇ ଦେବା ପାଇଁ ସରକାରୀସ୍ତରରେ ହୋଇଥିବା ନିଷ୍ପତ୍ତି ଫାଇଲ ଭିତରେ ଅଟକି ଯାଇଛି। ଯେଉଁଠି ମୋଟ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରୁ ୫%ଙ୍କୁ ୧୦୦ ଦିନ କାମ ଯୋଗାଇ ଦିଆଯାଇ ପାରୁନାହିଁ, ସେଠାରେ ୩୦୦ ଦିନ କାମ ଯୋଗାଣ ତ ସ୍ୱପ୍ନ। ଅପରପକ୍ଷେ ଦଲାଲ ଏବଂ ଅଫିସରଙ୍କ ମଧୁଚନ୍ଦ୍ରିକା ଶ୍ରମିକମାନଙ୍କ ଉପରେ ବୋଝକୁ ଆହୁରି ବଢ଼ାଇ ଦେଇଛି। ଗତ ନଭେମ୍ବର ମାସରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଦାଦନପ୍ରବଣ ଅଞ୍ଚଳରେ ଲୋକଙ୍କୁ କ’ଣ କାମ ଦିଆଯିବ ତାହାର ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡ଼ି ଦିଆଯାଇଥିଲା। ହେଲେ ଆଜି ଯାଏଁ ଜିଲ୍ଲା ସ୍ତରରୁ କ’ଣ ପ୍ରସ୍ତାବ ଆସିଲା ତାହାର ଉତ୍ତର କାହା ପାଖରେ ନାହିଁ।

ଗଲା ନିର୍ବାଚନ ପୂର୍ବରୁ ବିରୋଧୀ ଆସନରେ ଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ତ୍ରୁଟିପୂର୍ଣ୍ଣ କହି ଦାଦନ ଚାଲାଣ ରୋକିବାରେ ସେଗୁଡିକ ଅସମର୍ଥ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ; କିନ୍ତୁ କ୍ଷମତାକୁ ଆସିବା ପରେ ସତେ ଯେପରି ସବୁ ଭୁଲି ଯାଇଛନ୍ତି। ଓଡ଼ିଶାର ୧୧ ଜିଲ୍ଲାର ୫୦ ବ୍ଲକ୍‌ରେ ଦାଦନ ସମସ୍ୟା ସବୁଠାରୁ ଅଧିକ। ଅଧିକ ରୋଜଗାର ଲୋଭ କିମ୍ବା ଋଣ ପରିଶୋଧ କରିବା ପାଇଁ ହେଉ ସେମାନେ ଦାଦନ ଖଟିବାକୁ ଯାଇ ସେମାନେ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଦାଦନ ଖଟିବାକୁ ଯାଉଥିବା ଲୋକଙ୍କୁ ବ୍ଲକ୍‌ସ୍ତରରେ ଚିହ୍ନଟ ପାଇଁ ମୁଖ୍ୟ ସଚିବଙ୍କ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଶ୍ରମ ବିଭାଗ ଶୋଇ ରହିଛି।

About The Author: The Sakala