ବାଲେଶ୍ୱର: ଓଡ଼ିଶା ଜଙ୍ଗଲରୁ ବିରଳ ଓରାଙ୍ଗଉଟାନ୍ ଠାବ ଘଟଣା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ବାଲେଶ୍ୱର ଜିଲ୍ଲାର ରଣକୋଠା ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ଉଦ୍ଧାର ହେବା ଘଟଣାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏକ ବଡ଼ ବୟାନ ଦେଇଛନ୍ତି। ଏହି ବିରଳ ବନ୍ୟଜନ୍ତୁମାନେ ଏକ ଅନ୍ତର୍ଜାତୀୟ ଚୋରାଚାଲାଣ ନେଟୱାର୍କର ଅଂଶବିଶେଷ ହୋଇପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହି ଘଟଣାକୁ ଓଡ଼ିଶା ପାଇଁ ଏକ ସୌଭାଗ୍ୟର ବିଷୟ ବୋଲି ବର୍ଣ୍ଣନା କରି ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନ୍ ଭାରତର ମୂଳ ବାସିନ୍ଦା ନୁହଁନ୍ତି। ସାଧାରଣତଃ ଏମାନେ ମାଲେସିଆ, ସୁମାତ୍ରା, ଇଣ୍ଡୋନେସିଆ ଭଳି ଦେଶରେ ଦେଖାଯାଆନ୍ତି। ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ୍ଗୁଡ଼ିକର ବୟସ ୧ରୁ ୨ ବର୍ଷ ମଧ୍ୟରେ ହେବ। ଗୋଟିଏ ଓରାଙ୍ଗଉଟାନ୍ର ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହୋଇଥିବାରୁ ଏହା ପଛରେ କୌଣସି ଅନ୍ତର୍ଜାତୀୟ ମାଫିଆଙ୍କ ହାତ ଥିବା ଦୃଢ଼ ସନ୍ଦେହ କରାଯାଉଛି।
ଏହି ପ୍ରଜାତିର ଜୀବ ଭାରତ ବା ଓଡ଼ିଶାର ନହୋଇଥିବାରୁ, ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ହିଁ ଚୋରାଚାଲାଣର ପ୍ରକୃତ ଉତ୍ସ ସ୍ପଷ୍ଟ ହେବ ବୋଲି ଶ୍ରୀ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଏହି ପଶୁମାନଙ୍କୁ ବେଙ୍ଗଲ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଚାଲାଣ କରାଯାଉଥିଲା କି ନାହିଁ, ତାହା ତଦନ୍ତ ସାପେକ୍ଷ। ଏହି ଘଟଣାର ତଦନ୍ତ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ଦ୍ୱାରା କରାଯିବ ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (PCCF) ବ୍ୟକ୍ତିଗତ ଭାବେ ଏହି ମାମଲାର ତଦାରଖ କରୁଛନ୍ତି।
ଓରାଂଉଟାନ୍ମାନେ ସ୍ୱଭାବରେ ଶାନ୍ତ ହୋଇଥିବା ବେଳେ ଏମାନେ ମଣିଷର କୌଣସି କ୍ଷତି କରନ୍ତି ନାହିଁ। ବିବର୍ତ୍ତନ ଦୃଷ୍ଟିକୋଣରୁ ଏହି ପ୍ରଜାତି ମଣିଷର ଅତି ନିକଟତର ବୋଲି ବିବେଚନା କରାଯାଏ। ଉଦ୍ଧାର ହୋଇଥିବା ଏହି ବିରଳ ଜୀବମାନଙ୍କୁ ରାଜଧାନୀ ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି।