ନନ୍ଦନକାନନ : ଦୁଇଦିନିଆ ଗସ୍ତରେ ଆସିଥିବା କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷର ସଦସ୍ୟ ସଚିବ ଡ. ସଞ୍ଜୟ ଶୁକ୍ଲା ଆଜି ନନ୍ଦନକାନନ ନିରୀକ୍ଷଣ କରି ଫେରିଛନ୍ତି। ଏହି ଦୁଇ ଦିନ ଭିତରେ ଶ୍ରୀ ଶୁକ୍ଲା ନନ୍ଦନକାନନର ସମସ୍ତ ବିଭାଗ ଉପରେ ଟିକିନିଖି ନଜର କରିଛନ୍ତି। ନନ୍ଦନକାନନର ବିକାଶ ଲାଗି କର୍ତ୍ତୃପକ୍ଷଙ୍କ ସହ ବିଶେଷ ଭାବେ ଆଲୋଚନା କରିଛନ୍ତି। ମୁଖ୍ୟତଃ ଜୀବଜନ୍ତୁଙ୍କ ବଂଶବୃଦ୍ଧି, ସଂରକ୍ଷଣ ଓ ସ୍ୱାସ୍ଥ୍ୟାବସ୍ଥା ସହ ନୂତନ ଜୀବଜନ୍ତୁ ଆଣିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାରଙ୍କ ସୂଚନା ଅନୁସାରେ, ଶ୍ରୀ ଶୁକ୍ଲା ନନ୍ଦନକାନନର ପ୍ରାୟ ସମସ୍ତ ଜନ୍ତୁ ଖୁଆଡ଼, ପ୍ରାଣୀ ସଂରକ୍ଷଣ କେନ୍ଦ୍ର, ସଫାରୀ, ପ୍ରାଣୀ ଚିକିତ୍ସାଳୟ ଆଦି ବୁଲି ନିରୀକ୍ଷଣ କରିଥିଲେ।
ଶାଗୁଣା ପ୍ରଜନନ କେନ୍ଦ୍ରରେ ଶାଗୁଣା ମାନଙ୍କ ବଂଶବୃଦ୍ଧି ହେଉ ନ ଥିବା ନେଇ ଚିନ୍ତା ପ୍ରକଟ କରିବା ସହ ଏଥିରେ ସୁଧାର ଆଣିବା ନେଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ବଜ୍ରକାପ୍ତାଙ୍କ ସୁରକ୍ଷା, ସଂରକ୍ଷଣ ଓ ବଂଶବୃଦ୍ଧି ନେଇ ଗୁରୁତ୍ୱ ଦିଆଯିବ ନେଇ ମଧ୍ୟ ଆଲୋଚନା ହୋଇଛି। ନନ୍ଦନକାନନରେ ଏଇ କିଛି ମାସ ମଧ୍ୟରେ ମୁଖ୍ୟ ଆକର୍ଷଣ ଜନ୍ତୁଗୁଡ଼ିକର ମୃତ୍ୟୁ ହେବା ଓ ତାର ପ୍ରତିକାର ପାଇଁ ବିଶେଷ ପରାମର୍ଶ ଦେଇଛନ୍ତି। ଏଥିସହ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷଣ କରିବା ପାଇଁ ଦେଶ ଓ ବିଦେଶରୁ ନୂଆ ନୂଆ ଜନ୍ତୁ ଆଣିବାକୁ ପଦକ୍ଷେପ ନେବା ପାଇଁ ଶ୍ରୀ ଶୁକ୍ଲା କହିଛନ୍ତି। ଖୁବ୍ଶୀଘ୍ର ପ୍ରଥମ ପର୍ଯ୍ୟାୟରେ ଆସାମ ଓ ହାଇଦ୍ରାବାଦରୁ ୨ଟି ଗଣ୍ଡା ଆଣିବା ପାଇଁ ଯୋଜନା ହୋଇଛି।