୧୩୨୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ୧୬ତମ ନିଯୁକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୩୨୬ ଜଣ ନୂତନ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସରକାରୀ ଚାକିରିରେ ସଫଳତା ପଦବୀ ଦ୍ୱାରା ନୁହେଁ, ବରଂ ନାଗରିକଙ୍କ ଜୀବନରେ ଏହା ଆଣୁଥିବା ସକାରାତ୍ମକ ପରିବର୍ତ୍ତନ ଦ୍ୱାରା ମପାଯାଏ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ସ୍ଥିତ ରେଲୱେ ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୯ଟି ବିଭାଗର ପ୍ରାର୍ଥୀମାନଙ୍କୁ ଏହି ନିଯୁକ୍ତି ପତ୍ର ହସ୍ତାନ୍ତର କରାଯାଇଛି। ନୂତନ ନିଯୁକ୍ତିରେ ଗୃହ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ (ଜେଇ), ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ ଜେଇ, ଶକ୍ତି ବିଭାଗ ଓ ଓଏଚପିସି (OHPC)ରେ ୧୨ ଜଣ ଜେଇ ଏବଂ ୨୨୮ ଜଣ ଟ୍ରେନି, ୧୧୮ ସହକାରୀ କୃଷି ଅଧିକାରୀ, ୧୧୧ ସହକାରୀ ପ୍ରଫେସର, ଅନ୍ୟାନ୍ୟ ବିଭାଗରୁ ୧୫ କନିଷ୍ଠ ଯନ୍ତ୍ରୀ, ୭୧ ପ୍ରାଣୀସମ୍ପଦ ନିରୀକ୍ଷକ (ଲାଇଭଷ୍ଟକ୍ ଇନ୍ସପେକ୍ଟର), ୨୬ ଜୁନିଅର କୋଚ୍, ୧୦ ଇନ୍ସଟ୍ରକ୍ଟର ଏବଂ ୧୦ ଅବକାରୀ ସବ୍-ଇନ୍ସପେକ୍ଟର ସାମିଲ ଅଛନ୍ତି।

ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସେବା ସରକାରୀ କର୍ମଚାରୀଙ୍କ ପ୍ରାଥମିକ ଉଦ୍ଦେଶ୍ୟ ହେବା ଉଚିତ। ଲୋକଙ୍କ ଅଭିଯୋଗକୁ ସମ୍ମାନର ସହ ଶୁଣିବାକୁ ଏବଂ ସେଗୁଡ଼ିକର ଠିକ୍ ସମୟରେ ସମାଧାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ସରକାରୀ ସୁବିଧା ଯେପରି ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। 

About The Author: Madhusudan Das