SIR ବିବାଦ ବେଳେ ସ୍ୱେଚ୍ଛାକୃତ ଅବସର ଆବେଦନ କଲେ ଓଡ଼ିଶାର CEO ଆର୍‌.ଏସ୍‌. ଗୋପାଳନ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍‌.ଏସ୍‌. ଗୋପାଳନ ସ୍ୱେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ଆବେଦନ କରିଥିବା ଚର୍ଚ୍ଚା ହେଉଛି। ବ୍ୟକ୍ତିଗତ ଓ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଭିଆର୍‌ଏସ୍‌ ଲାଗିି ଆବେଦନ କରିଥିବା କୁହାଯାଉଛି। ୨୦୦୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଶ୍ରୀ ଗୋପାଳନ ୨୦୨୪ ଜୁଲାଇରୁ ରାଜ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି।  ତାଙ୍କ  ନେତୃତ୍ୱରେ ଚଳିତ ବର୍ଷ ଓଡ଼ିଶାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଅନୁଷ୍ଠିତ ହୋଇଛି। ଏହା ସହ ସେ ଅବକାରୀ ବିଭାର ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ଆସନ୍ତା ୨୦୨୮ ଜୁନ୍‌ରେ ସେ ଅବସର ଗ୍ରହଣ କରିଥାନ୍ତେ, ମାତ୍ର ଏହାର ଦେଢ଼ବର୍ଷ ପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ସରକାରଙ୍କୁ ଆବେଦନ କରିଛନ୍ତି । ମାତ୍ର ଏ ସମ୍ପର୍କରେ ଶ୍ରୀ ଗୋପାଳନ୍‌ ବା ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। 

ରାଜ୍ୟରେ ଏସଆଇଆର ପ୍ରକ୍ରିୟା ତାଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଛି। ଏହି ପ୍ରକ୍ରିୟାରେ ୨୦ ଲକ୍ଷରୁ ଅଧିକ ଭୋଟର ବାଦ୍ ପଡ଼ିଛନ୍ତି। ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ଗୁରୁତର ଅଭିଯୋଗମାନ ରହିଛି। ସାରା ଦେଶରେ ଏହି ପ୍ରକ୍ରିୟାକୁ ନେଇ ବିରୋଧାଭାସ ଜାରି ରହିଥିଲା ବେଳେ ଦେଶର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଭୂମିକା ଭୟଙ୍କର ବିବାଦକୁ ଆସିଛି। ତାଙ୍କର ଇସ୍ତଫା ଦାବିରେ ଦେଶ ହୁଲସ୍ତୁଲ ହେଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏସଆଇଆର ପ୍ରସଙ୍ଗରେ ଚିଠି ଲେଖିସାରିଲେଣି। ଠିକ୍ ଏହି ସମୟରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନଙ୍କ ଭିଆରଏସ୍ ଆବେଦନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

About The Author: Madhusudan Das