‘ଟପ୍‍ ମଡେଲ୍‍’ ପ୍ରତିଯୋଗିତା: ଇଜିପ୍ଟରେ ଚମକୁଛନ୍ତି ଓଡ଼ିଆ ଝିଅ ଇପ୍‍ସିତା

ଭୁବନେଶ୍ବର: ଇଜିପ୍ଟର ହର୍ଗହାଡା ସହରରେ ଆୟୋଜିତ ହେଉଛି ଟପ୍‍ ମଡେଲ-୨୦୨୨ ପ୍ରତିଯୋଗିତା। ବିଭିନ୍ନ ମହାଦେଶରୁ ବଛାବଛା ମଡେଲ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ତେବେ ପର୍ଯ୍ୟାୟକ୍ରମେ ପ୍ରତିଯୋଗିତା ଚାଲିଥିବା ବେଳେ ଶ୍ରେଷ୍ଠ ୫୦ଜଣଙ୍କ ଭିତରେ ରହିଛନ୍ତି କଟକ ମଙ୍ଗଳାବାଗର ଝିଅ ଇପ୍‍ସିତା ପ୍ରିୟଦର୍ଶିନୀ। ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଏହି ପ୍ରତିଯୋଗିତାରେ ଇପ୍‍ସିତା ଟାଇଟଲ୍‍ ଜିତିବା ନେଇ ଆଶାବାଦୀ ରହିଛନ୍ତି। ପ୍ରତିଯୋଗିତାର ବିଜୟିନୀଙ୍କୁ ମିଳିବ ବିଶ୍ୱସ୍ତରୀୟ ମୁକୁଟ ଓ ବିଶେଷ ସମ୍ମାନ। ଏପରିକି ବିଶ୍ୱର ଅନେକ […]

ଭୁବନେଶ୍ବର: ଇଜିପ୍ଟର ହର୍ଗହାଡା ସହରରେ ଆୟୋଜିତ ହେଉଛି ଟପ୍‍ ମଡେଲ-୨୦୨୨ ପ୍ରତିଯୋଗିତା। ବିଭିନ୍ନ ମହାଦେଶରୁ ବଛାବଛା ମଡେଲ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ତେବେ ପର୍ଯ୍ୟାୟକ୍ରମେ ପ୍ରତିଯୋଗିତା ଚାଲିଥିବା ବେଳେ ଶ୍ରେଷ୍ଠ ୫୦ଜଣଙ୍କ ଭିତରେ ରହିଛନ୍ତି କଟକ ମଙ୍ଗଳାବାଗର ଝିଅ ଇପ୍‍ସିତା ପ୍ରିୟଦର୍ଶିନୀ। ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଏହି ପ୍ରତିଯୋଗିତାରେ ଇପ୍‍ସିତା ଟାଇଟଲ୍‍ ଜିତିବା ନେଇ ଆଶାବାଦୀ ରହିଛନ୍ତି। ପ୍ରତିଯୋଗିତାର ବିଜୟିନୀଙ୍କୁ ମିଳିବ ବିଶ୍ୱସ୍ତରୀୟ ମୁକୁଟ ଓ ବିଶେଷ ସମ୍ମାନ। ଏପରିକି ବିଶ୍ୱର ଅନେକ ନାମିଦାମୀ ମାଗାଜିନର ମୂଖ୍ୟପୃଷ୍ଠାରେ ବିଜୟିନୀଙ୍କ ଫଟୋ ପ୍ରକାଶ ପାଇବ। ଅନ୍ତର୍ଜାତୀୟ ସ୍ତରର ଉତ୍ପାଦର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ମଧ୍ୟ ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି।

ପିତା ବିଜୟ କୁମାର ସାହୁ ଓ ମା’ ବବିତା ମହାନ୍ତିଙ୍କ ଝିଅ ହେଉଛନ୍ତି ଇପସିତା। ଡିଏଭି ସ୍କୁଲରୁ ପାଠପଢ଼଼ା ଶେଷ କରିବା ପରେ ଭୁବନେଶ୍ୱରର କିଟ ବିଶ୍ୱବିଦ୍ୟାଳୟରୁ ବି-ଟେକ୍‍ ଶିକ୍ଷା ଲାଭ କରିଥିଲେ। ପିଲାଟି ବେଳୁ ମଡ଼େଲ୍‍ ଦୁନିଆ ପ୍ରତି ଇପ୍‍ସିତାଙ୍କର ଆଗ୍ରହ ଥିଲା। ୧୬ବର୍ଷ ବୟସରୁ ସେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ। ୨୦୧୩ ମସିହାରେ ବିଶାଖାପାଟଣାରେ ଆୟୋଜିତ ମିସ୍‍ ଭାଇଜାଗ୍‍ ପ୍ରତିଯୋଗିତାରେ ସେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ତାଙ୍କୁ ମିଳିଥିଲା ମିସ୍‍ ପପୁଲାରିଟି ଟାଇଟଲ୍‍। ଇତି ମଧ୍ୟରେ ଭାରତର ଅନେକ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିବା ସହିତ ସଫଳତା ହାସଲ କରିଛନ୍ତି। ୨୦୨୧ ମସିହାରେ ଭର୍ଚୁଆଲ ପ୍ଲାଟଫର୍ମରେ ହୋଇଥିଲା ମିସେସ୍‍ ଫେମିନା ପ୍ରତିଯୋଗିତା। ଇପ୍‍ସିତା ଏଥିରେ ଭାଗ ନେଇଥିଲେ। ସେ ମିସେସ୍‍ ଫେମିନା ପର୍ସାନିଲିଟି ଟାଇଟଲ ଜିତିବା ସହିତ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଗୌରବ ଆଣିଥିଲେ।

ଏହି ପ୍ରତିଯୋଗିତାରେ ସେ ଓଡ଼ିଶାର ପରମ୍ପରାକୁ ପ୍ରତିପାଦିତ କରିଥିଲେ। ଫ୍ୟାସନ ଚ୍ୟାଲେଞ୍ଜ ରାଉଣ୍ଡରେ ଇପସିତା ବମକାଇ ପାଟ ଓ କନ୍ଧ ସମ୍ପ୍ରଦାୟର ଗହଣା ପିନ୍ଧି ପ୍ରତିଯୋଗିତାକୁ ଓହ୍ଲାଇଥିଲେ। ଏହାଛଡ଼ା କୁକିଂ ରାଉଣ୍ଡରେ ସେ ତିଆରି କରିଥିଲେ ଓଡ଼ିଶାର ଘରେଘରେ ପରିଚିତ ଛୁଞ୍ôଚପତ୍ର ପିଠା। ଓଡ଼ିଶାର ଜଣେ ସଫଳ ମଡ଼େଲ ଭାବେ ଇପସିତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ସେ ପୂର୍ବରୁ ଏକ ଅନ୍ତର୍ଜାତୀୟ ସ୍ତରର ପର୍ଫ୍ୟୁମର ବ୍ରାଣ୍ଡଆମ୍ବାସଡର ଥିଲେ। ସୂଚନାଥାଉକି, ଇପସିତା ପେସାରେ ହେଉଛନ୍ତି ଜଣେ ସଫ୍ଟୱେୟାର ଇଞ୍ଜିନିୟର।

About The Author: The Sakala