ଭୁବନେଶ୍ୱର: କୌଣସି ବିମାନବନ୍ଦରର ଭବିଷ୍ୟତ କାର୍ଯ୍ୟପନ୍ଥା, ଭିତ୍ତିଭୂମି ନିର୍ମାଣ ତାହାର ଯାତ୍ରୀ ସଂଖ୍ୟା ନିର୍ଦ୍ଧାରଣ କରିଥାଏ। ଯାତ୍ରୀ କ୍ଷମତା ଅନୁସାରେ ବିମାନବନ୍ଦରର ଗୁରୁତ୍ୱ ମୂଲ୍ୟାୟନ କରାଯାଇଥାଏ। ତେବେ ବୃହତ ବିମାନବନ୍ଦରର ମାନ୍ୟତା ଅଭିମୁଖେ ଅଗ୍ରସର ହେଉଛି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। କୋଭିଡ୍ ପରେ କ୍ରମାଗତ ଭାବେ ଏହି ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ବଢ଼଼ିବାରେ ଲାଗିଛି। ଏପରିକି ପ୍ରାକ୍ କୋଭିଡ୍ ସ୍ଥିତିକୁ ଅତିକ୍ରମ କରିବାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସଫଳ ହୋଇଛି। ଜୁଲାଇ ୨୦୨୨ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଯାତ୍ରୀ ଅଭିବୃଦ୍ଧି ହାର ୪୮.୩%ରେ ପହଞ୍ଚିଛି। ସେହିପରି ବିମାନ ଚଳାଚଳରେ ଅଭିବୃଦ୍ଧି ହାର ୩୧.୯% ରହିଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଗତବର୍ଷ ଜୁଲାଇରେ ଏହି ବିମାନବନ୍ଦର ଦେଇ ସମୁଦାୟ ୨୧୮୭ଟି ବିମାନ ଚଳାଚଳ କରିଥିଲା। ଚଳିତବର୍ଷ ଜୁଲାଇରେ ବିମାନ ସଂଖ୍ୟା ୨୮୮୫ ରହିଥିଲା। ୨୦୨୨ ଜୁଲାଇ ମାସରେ ସମୁଦାୟ ଯାତ୍ରୀ ସଂଖ୍ୟା ୨୪୫୨୩୨ ଥିଲା ଏବଂ ଚଳିତ ବର୍ଷ ଜୁଲାଇରେ ମୋଟ ୩୬୩୫୭୬ ଯାତ୍ରୀ ଏହି ବିମାନବନ୍ଦର ଦେଇ ଯା ଆସ କରିଥିଲେ।
ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଦୈନିକ ହାରାହାରି ୪୭ଟି ବିମାନ ଯିବା ଆସିବା କରୁଛି। ବିଭିନ୍ନ ମହାନଗର ଏବଂ ସହରକୁ ଘରୋଇ ବିମାନ ସହିତ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍ଗକକ୍କୁ ଅନ୍ତଜାତୀୟ ଉଡ଼ାଣ ହେଉଛି। ଏହି ବିମାନବନ୍ଦରରେ ଦୈନିକ ଯାତ୍ରୀ ସଂଖ୍ୟା ପାଖାପାଖି ୧୨ ହଜାର ରହୁଛି। ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ସର୍ବାଧିକ ଯାତ୍ରୀ ଯା’ ଆସ କରୁଥିବା ବେଳେ ଏହା ପଛକୁ ବେଙ୍ଗାଲୁରୁ, ମୁମ୍ବଇ, କୋଲକାତାକୁ ସର୍ବାଧିକ ଯାତ୍ରୀ ଯିବା ଆସିବା କରୁଛନ୍ତି। ଦିଲ୍ଲୀରୁ ମାସରେ ୧ ଲକ୍ଷରୁ ଅଧିକ ଯାତ୍ରୀ ଯା’ଆସ କରୁଥିବା ବେଳେ ଅନ୍ୟ ମହାନଗରକୁ ଯାତ୍ରୀ ସଂଖ୍ୟା ୫୦ ହଜାରରୁ ୭୦ ହଜାର ମଧ୍ୟରେ ରହୁଛି। ସେହିପରି ହାଇଦ୍ରାବାଦ, ଚେନ୍ନାଇ, ପୁଣେ, ପାଟନା, ଅହମଦାବାଦ, ରାୟପୁର ଆଦି ସ୍ଥାନକୁ ଯାତ୍ରୀଙ୍କ ଯିବା ଅସିବା ବୃଦ୍ଧି ପାଉଛି। ଭୁବନେଶ୍ୱର-ସୁରତ ମଧ୍ୟରେ ଯାତ୍ରୀ ସଂଖ୍ୟା ଭଲ ରହୁଥିଲେ ସୁଦ୍ଧା କିଛି ମାସ ହେଲା ଏହି ରୁଟ୍ରେ ବିମାନ ଚଳାଚଳ ବନ୍ଦ ହୋଇଯାଇଛି। ଘରୋଇ ବିମାନ ରୁଟ୍ରେ ଭାୟା ଅନ୍ୟ ବିମାନବନ୍ଦର ଦେଇ ମାସି ପ୍ରାୟ ୫ ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି। ତେବେ ଭୁବନେଶ୍ୱର-ଝାରସୁଗୁଡ଼ା ମଧ୍ୟରେ ମାସିକ ୨୫୦୦ରୁ ୩ ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି।
ଚଳିତ ବର୍ଷ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ୬ ଲକ୍ଷରୁ ଅଧିକ ଯାତ୍ରୀ ଯିବା ଆସିବା କରିଥିଲେ। ୨୦୧୯ରେ କୋଭିଡ୍ ପୂର୍ବରୁ ଓଡ଼ିଶାର ଏହି ପ୍ରମୁଖ ବିମାନବନ୍ଦରରେ ସମୁଦାୟ ଯାତ୍ରୀ ସଂଖ୍ୟା ୩୬ ଲକ୍ଷରେ ସୀମିତ ରହିଥିଲା। ୨୦୧୪-୧୫ରେ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ୧୫ ଲକ୍ଷରୁ କିଛି ଅଧିକ ରହିଥିଲା। ଏଏଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିମାନ ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼଼ୁଛି। ଅଧିକ ସଂଖ୍ୟକ ବିମାନ ଚାଲିବା ଦ୍ୱାରା ଟିକଟ ମୂଲ୍ୟ ଅପେକ୍ଷାକୃତ ହ୍ରାସ ପାଉଛି। ଅଧିକାଂଶ ସମୟରେ ଟ୍ରେନ୍ରେ ଟିକଟ ମିଳିବା କଷ୍ଟକର ହେଉଥିବାରୁ ସାଧାରଣ ବର୍ଗର ଯାତ୍ରୀ ମଧ୍ୟ ବିମାନରେ ଯିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ଦୃଷ୍ଟିରୁ ଲିଙ୍କ୍ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଯଦିଓ ଅଧିକ ସଂଖ୍ୟକ ଯାତ୍ରୀଙ୍କ ପରିଚାଳନା ପାଇଁ ଟର୍ମିନାଲ-୧ ସକ୍ଷମ ତଥାପି ଆଗକୁ ବାର୍ଷିକ ଯାତ୍ରୀ ସଂଖ୍ୟା ଦୁଇ ଗୁଣା ବଢ଼଼ିବା ସମ୍ଭାବନା ଅଛି। ସେଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି।