ନୂଆପଡ଼ା ଚାଷୀ ଆତ୍ମହତ୍ୟା: ନବୀନ ଗଠନ କଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଳାର କୋମନା ବ୍ଲକର ଜଡ଼ାମୁଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମଣ୍ଡିରେ ଧାନ ବିକ୍ରି ନହେବା କାରଣରୁ ଗ୍ରାମର ନେପାଳ ମାଝୀ ନାମକ ଜଣେ ଚାଷୀ ସୋମବାର ରାତିରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି।  ଏହି ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା ତଥା ଓଡ଼ିଶା ବିଧାନସଭାର ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରିଛନ୍ତି। ଏଥିରେ ସଦସ୍ୟ ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଅଧୀରାଜ ପାଣିଗ୍ରାହୀ ,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଓ ନୂଆପଡ଼ା ଜିଲ୍ଳା ବିଜେଡି ସଭାପତି ଅବନୀ ଯୋଶୀ ସ୍ଥାନ ପାଇଛନ୍ତି। ଏହି ଟିମ ଘଟଣାସ୍ଥଳକୁ ଗସ୍ତ କରି ଘଟଣାର ଅନୁସନ୍ଧାନ କରି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ଜଣାପଡ଼ିଛି। 

ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମାଙ୍କ ସୂଚନା ଅନୁଯାୟୀ କମିଟି ଖୁବଶୀଘ୍ର କ୍ଷେତ୍ର ପରିଦର୍ଶନ କରିବା ସହ ମୃତକ ଚାଷୀ ସ୍ୱର୍ଗତ ମାଝୀଙ୍କ ପରିବାର ବର୍ଗଙ୍କୁ ଭେଟିବ। ଏହାସହ କମିଟି ସଦସ୍ୟ ଜିଲ୍ଳା ପ୍ରଶାସନ, ଚାଷୀ ସଂଗଠନ ସହ ଆଲୋଚନା କରିବେ। ତୁରନ୍ତ ସ୍ୱର୍ଗତ ମାଝୀଙ୍କ ପରିବାର ବର୍ଗଙ୍କୁ ୨୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ସହ ପରିବାରର ଜଣକୁ ସରକାରୀ ସ୍ତରରେ ନିଯୁକ୍ତି ଦେବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି। ବିଜେଡିର ଦାବି ଅନୁଯାୟୀ ପଶ୍ଚିମ ଓଡ଼ିଶାର ସମସ୍ତ ମଣ୍ଡିରେ ପଡିରହିଥିବା ଧାନକୁ ସରକାର ତୁରନ୍ତ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସଂଗ୍ରହ କରିବା ସହ ନିର୍ଦ୍ଧାରିତ ଅବଧିର(ସରକାରୀ ଘୋଷଣା) ଅଧିକ ୧୫ ଦିନ ବୃଦ୍ଧି କରାଯାଉ। ସମସ୍ତ ଦାବି ୭ ଦିନ ଭିତରେ ସରକାର ପୂରଣ ନକଲେ ନୂଆପଡ଼ା ଜିଲ୍ଲାପାଳ ଅଫିସ ଘେରାଉ କରାଯିବା ସହିତ ପ୍ରଶାସନକୁ ଅଚଳ କରାଇ ଦିଆଯିବ ବୋଲି ଶ୍ରୀ ଦାସବର୍ମା ଚେତାବନୀ ଦେଇଛନ୍ତି। ନେପାଳ ମାଝୀଙ୍କ ଆତ୍ମହତ୍ୟା ସରକାର ଓ ଚାଷୀକୁଳ ପ୍ରତି ଚରମ ବିଫଳତାର ନଗ୍ନ ଉଦାହରଣ ବୋଲି ସେ  କହିଛନ୍ତି।

About The Author: Madhusudan Das