ଆଠଗଡ: ରାତି ପାହିଲେ ବଡ଼ ଓଷା । ମାତ୍ର ବାବା ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ନିଜ ଜିଦରେ ଅଟଳ ରହିଛି ପୂଜକ ସମିତି । ପୀଠରେ ଲଗାଯାଇଥିବା ବ୍ୟାରିକେଡ୍ ଯୋଗୁ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବା ପୂଜକ ଅଭିଯୋଗ ଆଣିଛନ୍ତି ଏବଂ ଏହାକୁ ନେଇ ଦୀର୍ଘ ୬ଘଣ୍ଟା ହେଲା ଧବଳେଶ୍ୱର ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ସମସ୍ୟା ସମାଧାନ ନ ହେବା ଯାଏଁ ମନ୍ଦିର ତାଲା ପକାଇ ଧାରଣାରେ ବସି ରହିବେ ବୋଲି ପୂଜକ ସମିତି ପକ୍ଷରୁ ଚେତାବନୀ ।
ଅନ୍ୟପଟେ ଧବଳେଶ୍ୱର ମୁଖ୍ୟ ଫାଟକରେ ପ୍ରଶାସନ ପକ୍ଷରୁ ଲାଗିଲା ନୋଟିସ୍ । ୧ ଘଣ୍ଟା ମଧ୍ୟରେ ମନ୍ଦିର ଦ୍ୱାର ନଖୋଲିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାନଗଲେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଲେଖାଅଛି ।