ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ଧୀରେଧୀରେ ବଢୁଛି ଶୀତ। କ୍ରମାଗତ ଭାବେ ତାପମାତ୍ରା ହ୍ରାସ ଯୋଗୁଁ ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୧୦ ଡିଗ୍ରୀ ତଳେ ୧୬ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୪.୬ ଡିଗ୍ରୀ ସହ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ପାଲଟିଛି।
ଜି. ଉଦୟଗିରି ୪.୬ ଡ଼ିଗ୍ରୀ, ସେମିଳିଗୁଡା ୫.୬ ଡ଼ିଗ୍ରୀ, ଫୁଲବାଣୀ ୬ ଡ଼ିଗ୍ରୀ, କିରେଇ ୭.୧ ଡ଼ିଗ୍ରୀ, କୋରାପୁଟ ୭.୭ ଡ଼ିଗ୍ରୀ, କେନ୍ଦୁଝର ୭.୮ ଡ଼ିଗ୍ରୀ, ଦାରିଙ୍ଗବାଡି ୮ ଡ଼ିଗ୍ରୀ, ଅନୁଗୁଳ ୮.୬ ଡ଼ିଗ୍ରୀ, ଭବାନୀପାଟଣା ୮.୬ ଡ଼ିଗ୍ରୀ, ରାଉରକେଲା ୮.୭ ଡ଼ିଗ୍ରୀ, ସୁନ୍ଦରଗଡ ୯ ଡ଼ିଗ୍ରୀ, ନବରଙ୍ଗପୁର ୯ ଡ଼ିଗ୍ରୀ, ସୋନପୁର ୯.୩ ଡ଼ିଗ୍ରୀ, ଝାରସୁଗୁଡା ୯.୪ ଡ଼ିଗ୍ରୀ, ରାଣୀତାଲ ୯.୪ ଡ଼ିଗ୍ରୀ ଓ ଚିପିଲିମାରେ ୯.୮ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି ।
ଅନ୍ୟପଟେ, ଶୁକ୍ରବାର ରାତିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ସହ ଶୀତର ପ୍ରକୋପ ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିବା ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟ ଉପରେ ଏକ ପଶ୍ଚିମା ଝଡ଼ର ପ୍ରଭାବ ରହିବ। ଏଥିପାଇଁ ବଙ୍ଗୋପସାଗରରୁ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରିବ। ଏହାଦ୍ୱାରା ରାଜ୍ୟରେ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ଓ ଶୀତର ପ୍ରକୋପ ହ୍ରାସ ପାଇବ। ଅନ୍ୟପଟେ ଶୀତ କମିବା ସହିତ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ଯୋଗୁଁ ଅନେକ ସ୍ଥାନରେ ଘନ କୁହୁଡ଼ି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିିଛି। ଶୁକ୍ରବାର ରାତିଠାରୁ ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଆଶଙ୍କାକରି ପାଣିପାଗ କେନ୍ଦ୍ର ପକ୍ଷରୁ ଚେତାବନୀ ଜାରି କରାଯାଇଛି।
ଶନିବାର ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ଘନକୁହୁଡ଼ି ହେବା ଆଶଙ୍କା ରହିଛି। ଏହି ଅଞ୍ଚଳରେ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବାକୁ ଥିବାରୁ ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପପଟେ ଶନିବାର ରାତିରୁ ରବିବାର ସକାଳ ପର୍ଯ୍ୟନ୍ତ କୁହୁଡ଼ି ପ୍ରକୋପ ସହିତ ଅଧିକ ଅଞ୍ଚଳରେ ଏହାର ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।