ନୟାଗଡ଼ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଜଣେ ଅନାଥ ଯୁବତୀଙ୍କ ବିବାହ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆଜି ସଂନ୍ଧ୍ୟାରେ ମଙ୍ଗଳକୃତ୍ତ୍ୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ୧୨ ତାରିଖ ନୟାଗଡ଼ ବୃଦ୍ଧାଶ୍ରମ ସମର୍ପଣରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଅନାଥ ପରିତ୍ୟକ୍ତ ବାଳାଶ୍ରମ, ଶିଶୁ ଯତ୍ନ ଅନୁଷ୍ଠାନ ବିବାହ କାର୍ଯ୍ୟ ଆୟୋଜନ କରିଥିବା ବେଳେ ନୟାଗଡ଼ ସହରର ମାନ୍ୟଗନ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ରାଜନୈତିକ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି । ନୟାଗଡ଼ର ବହୁ ସମାଜସେବୀ ଓ ରୋଟାରିଆନ ଏହି ବିବାହ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦ ବର୍ଷ ତଳେ ମାସକର ହୋଇଥିବା ଜିନାଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ଅନାଥ ପରିତ୍ୟକ୍ତ ବାଳାଶ୍ରମରେ ରଖାଯାଇଥିଲା । ସେଠାରେ ସେ ଧିରେ ଧିରେ ବଡ଼ ହେବାକୁ ଲାଗିଥିବା ବେଳେ ମାଟ୍ରିକ ପାସ କରିଥିଲେ।
ସରକାରଙ୍କ ନିୟମନୁସାରେ, କୌଣସି ଭାରତୀୟ ପରିବାର ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନଥିବାରୁ ଜିନାର ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା । ବ୍ରହ୍ମପୁର ଆଇଟିଆଇ ସେଣ୍ଟରରେ ସେ ଶିକ୍ଷା ଗ୍ରହଣ କରିବା ପରେ ଦକ୍ଷତା ବିକାଶ ମିଶନ ଦ୍ୱାରା ତାଲିମ ପ୍ରାପ୍ତ ହୋଇଛନ୍ତି। ବାଙ୍ଗାଲୋରରେ ତାଲିମ ନେଇ ଚାକିରି କରିଥିଲେ । ବିବାହ ଯୋଗ୍ୟା ହୋଇଥିବା ଜିନାଙ୍କୁ ଜିଲ୍ଲା ପ୍ରଶାସନ ଓ ଅନାଥ ପରିତ୍ୟକ୍ତ ବାଳାଶ୍ରମ ପକ୍ଷରୁ ବିବାହ କରିବା ପାଇଁ ମନସ୍ଥ କରାଯାଇଥିଲା । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଖଣ୍ଡୁଗାଁ ଗ୍ରାମର ପୁରୁଷୋତ୍ତମ ପାଣିଙ୍କ ପୁଅ ଜିତେନ୍ଦ୍ରଙ୍କ ସହ ତାଙ୍କର ବିବାହ ସ୍ଥିର କରାଯାଇଥିଲା । ଏଥିପାଇଁ ଆଜି ମଙ୍ଗନକୃତ୍ୟ ଶେଷ ହୋଇଥିବା ବେଳେ ଆସନ୍ତକାଲି ନୟାଗଡ଼ ବୃଦ୍ଧାଶ୍ରମ ସମର୍ପଣଠାରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏହି ବିବାହ କାର୍ଯ୍ୟ ସମାପନ କରି ଜିଲ୍ଲା ପ୍ରଶାସନ ଝିଅ ଅଲୋଡ଼ା ନୁହେଁ ବୋଲି ବାର୍ତ୍ତା ଦେଇଛି । ନୟାଗଡ଼ ଜିଲ୍ଲାରେ କନ୍ୟାଭୃଣ ହତ୍ୟା କାରଣରୁ ଝିଅ ସଂଖ୍ୟା ଦିନକୁ ଦିନ ହ୍ରାସ ଘଟୁଥିବା ବେଳେ ଝିଅଙ୍କ ପ୍ରତି ଲୋକଙ୍କ ମନରେ ରହିଥିବା ଘୃଣା ଓ ଅଶୂୟା ଭାବ ଦୂର କରିବା ପାଇଁ ଏହା ଏକ ମାଧ୍ୟମ ବୋଲି ସୂଚନା ମିଳିଛି । ଏହି ବିବାହ କାର୍ଯ୍ୟରେ ମୁଖ୍ୟତଃ ସମାଜସେବୀ ଅରୁଣ କୁମାର ମହାନ୍ତି, ରାଧେଶ୍ୟାମ ମହତା ମୁଖ୍ୟ ଭୂମିକା ନିର୍ବାହ କରିଥିବା ଜଣାଯାଇଛି ।