ଭୁବନେଶ୍ୱର: ଆଜିଠାରୁ ସଂସଦର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନରେ ଲୋକସଭା ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ ଆଗତ ହୋଇଛି । ଯାହାକୁ ଶାସକ ବିଜେପି ଐତିହାସିକ ବୋଲି ଉଲ୍ଲେଖ କରି ଏହାଦ୍ୱାରା ମହିଳା ସଶକ୍ତୀକରଣ ଅଭିଯାନକୁ ଏକ ବଡ଼ ସଫଳତା ମିଳିବ ବୋଲି କହୁଛି; ତାହାକୁ ୪ ଦଶନ୍ଧି ତଳେ ରାଜ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାରେ ମହିଳା ସଶକ୍ତୀକରଣର ଆଦ୍ୟ ପୁରୋଧା ବିଜୁ ପଟ୍ଟନାୟକ କାର୍ଯ୍ୟକାରୀ କରି ସାରିଥିଲେ। ପଞ୍ଚାୟତିରାଜ ଓ ପୌର ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରି ଇତିହାସ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମହିଳାମାନଙ୍କୁ ରାଜନୈତିକ ସଂରକ୍ଷଣ ପାଇଁ ଚଳାଇଥିବା ପ୍ରୟାସ ସାରା ଦେଶକୁ ସମ୍ପ୍ରସାରିତ ହୋଇଥିଲା। ନବୀନ ଏହାକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଥିଲେ ଓ ଦେଶର ୨୨ଟି ରାଜନୈତିକ ଦଳର ମୁଖ୍ୟଙ୍କ ନିକଟକୁ ପ୍ରତିନିଧି ପଠାଇ ଏ ସଂକ୍ରାନ୍ତରେ ସମର୍ଥନ ଲୋଡ଼ିଥିଲେ। ଯାହା ଏବେ ସାକାର ହେବାକୁ ଯାଉଛି। ଦେଶରେ ମହିଳାମାନଙ୍କୁ ରାଜନୈତିକ କ୍ଷେତ୍ରରେ ୩୩% ସ୍ଥାନ ସଂରକ୍ଷଣ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡ଼କାଯାଇଛି।
୯୦ ଦଶକରେ ଯେତେବେଳେ ମହିଳାଙ୍କୁ ରାଜନୀତି କ୍ଷେତ୍ରରେ ଏକ ସୀମିତ ସ୍ଥାନରେ ରଖାଯାଇଥିଲା, ସେହି ସମୟରେ ବିଜୁ ପଟ୍ଟନାୟକ ହିଁ ପ୍ରଥମେ ଏହି ଧାରାକୁ ଭାଙ୍ଗିଥିଲେ। ୧୯୯୨ ମସିହାରେ ପଞ୍ଚାୟତିରାଜ ଓ ପୌରସଂସ୍ଥା ମାନଙ୍କରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରି ବିଜୁ ବାବୁ ଐତିହାସିକ ପଦକ୍ଷେପ ନେଇଥିଲେ। ତାଙ୍କର ସୁପୁତ୍ର ତଥା ୨୪ ବର୍ଷ ଧରି ରାଜ୍ୟବାସୀଙ୍କୁ ସୁଶାସନ ଦେଇଥିବା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସେହି ଧାରାକୁ ବଜାୟ ରଖିଥିଲେ। କେବଳ ରାଜ୍ୟସ୍ତରରେ ନୁହେଁ, ସମଗ୍ର ଦେଶରେ ମହିଳାଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଉଦ୍ୟମ କରିଥିଲେ। ଉଭୟ ପିତା-ପୁତ୍ରଙ୍କ ଲଗାତାର ପ୍ରୟାସ, ପରିଶ୍ରମ ତଥା ପ୍ରତିବଦ୍ଧତା ଆଜି ଜାତୀୟସ୍ତରରେ ମହିଳାଙ୍କ ପାଇଁ ଏକ ନୂଆ ସମ୍ଭାବନା ଆଣିବାକୁ ଯାଉଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ବିଜୁ ପଟ୍ଟନାୟକ ମହିଳାଙ୍କୁ ସଶକ୍ତ କରିବା ପାଇଁ ସ୍ୱତନ୍ତ୍ର ମହିଳା ଓ ଶିଶୁ ବିକାଶ ବିଭାଗ, ମହିଳା କମିଶନ, ମହିଳା ଥାନା ଓ ମହିଳା ବ୍ୟାଙ୍କ ସ୍ଥାପନ କରିଥିଲେ। ଆଦିବାସୀ ମହିଳା ସୁମନୀ ଝୋଡ଼ିଆ ଏବଂ ତାଙ୍କ ସହଯୋଗୀମାନଙ୍କୁ ମଦବିରୋଧୀ ଆନ୍ଦୋଳନରେ ପୁଲିସ କ୍ଷମତା ଦେଇ ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲେ। ସୁମନୀ ଝୋଡିଆ, ସବାଇ ମାଝୀ ଓ ଅନ୍ଧାରୀ ମାଝୀଙ୍କୁ ବିଜୁ ବାବୁ ୧୯୯୩ ମସିହାରେ ଆଦିବାସୀଙ୍କ ବିକାଶ ଏବଂ ମଦବିରୋଧୀ ଆନ୍ଦୋଳନ ପାଇଁ ନିଜର ପରାମର୍ଶଦାତା ନିଯୁକ୍ତ କରିଥିଲେ। ସମାଜର ନିମ୍ନ ବର୍ଗର ମହିଳାଙ୍କ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିକାଶ ପାଇଁ ବିଜୁ ବାବୁ ଯେଉଁ ନିରନ୍ତର ଉଦ୍ୟମ କରିଥିଲେ, ସେତେବେଳେ ତାହା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା।
୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକ ମହିଳା ସଶକ୍ତୀକରଣ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିଥିଲେ। ତ୍ରିସ୍ତରୀୟ ପଞ୍ଚାୟତିରାଜ ଓ ପୌର ନିର୍ବାଚନରେ ମହିଳାମାନଙ୍କ ପାଇଁ ସରଂକ୍ଷଣକୁ ୩୩ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ। ୨୦୧୯ ଓ ୨୦୨୪ ମସିହା ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକଟ ଦେଇ ସମଗ୍ର ଦେଶକୁ ଚମକାଇ ଦେଇଥିଲେ। ୨୦୧୯ରେ ଆସ୍କାରୁ ପ୍ରମିଳା ବିଶୋୟୀଙ୍କୁ ଟିକଟ ଦେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲେ ନବୀନ। ଜଣେ ସାଧାରଣ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ସଂସଦ ପଠାଇଥିଲେ। ୨୦୧୮ ମସିହା ଶେଷାର୍ଦ୍ଧରେ ନବୀନଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ତୁଙ୍ଗ ନେତାମାନେ ଦେଶର ୨୨ଟି ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଙ୍କୁ ଭେଟି ମହିଳା ସଂରକ୍ଷଣ ନିମନ୍ତେ ସମର୍ଥନ ଲୋଡ଼ିଥିଲେ।
ଅପରପକ୍ଷରେ ରାଜ୍ୟରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ‘ମିଶନ ଶକ୍ତି’ ସ୍ଥାପନ କରି ସେମାନଙ୍କୁ ସାମାଜିକ, ଅର୍ଥନୈତିକ, ରାଜନୈତିକ ସ୍ତରରେ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରିବା ପାଇଁ ନବୀନ ପଟ୍ଟନାୟକ ନେଇଥିଲେ ଏକାଧିକ ପଦକ୍ଷେପ। ମିଶନ ଶକ୍ତି ବିଭାଗ ଦ୍ୱାରା ରାଜ୍ୟର ପ୍ରାୟ ୮୦ ଲକ୍ଷ ମହିଳା ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ ହୋଇଥିଲେ। ଏହି ଯୋଜନା ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବା ସହ ମହିଳାମାନଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିଥିଲା। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା, କିଶୋରୀ ଏବଂ ଯୁବତୀଙ୍କ ଉନ୍ନତିି ପାଇଁ ଏକାଧିକ ଯୋଜନା ପ୍ରଣୟନ କରିଥିଲେ ନବୀନ। ଏତଦ୍ ବ୍ୟତୀତ ରାଜ୍ୟରେ ଧାନ କିଣାଠାରୁ ଆରମ୍ଭ କରି ଆହାର କେନ୍ଦ୍ର ପରିଚାଳନା ପର୍ଯ୍ୟନ୍ତ, ସବୁଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପରିଚାଳନା ଦାୟିତ୍ୱ ଦେଇ ନବୀନ ଏକ ନୂଆ ପରମ୍ପରା ସୃଷ୍ଟି କରିଥିଲେ। ନବୀନଙ୍କର ଲଗାତାର ପ୍ରୟାସ କାରଣରୁ ରାଜ୍ୟର ମହିଳା ଏବେ ଅନେକ କ୍ଷେତ୍ରରେ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର ହୋଇପାରିଥିବା ବେଳେ ଏହା ସମଗ୍ର ଦେଶକୁ ଏକ ନୂଆ ରାସ୍ତା ଦେଖାଇଛି। ବିଜୁ-ନବୀନଙ୍କର ଦୀର୍ଘ ପ୍ରୟାସ ଆଜି ଓଡ଼ିଶା ସହ ଦେଶର କୋଟିକୋଟି ମହିଳାଙ୍କ ପାଇଁ ରାଜନୈତିକ ସଂରକ୍ଷଣ ପାଇଁ ବାଟ ଖୋଲିଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।