ଭୁବନେଶ୍ୱର: ଶ୍ରୀଗୁଣ୍ଡିଚା ପରେ ବାହୁଡ଼ାରେ ବି ପୁରୀରେ ଦଳାଚକଟା। ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ସମୟରେ ଜଣେ ଭକ୍ତଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ନବୀନ । ଏଭଳି ଅଘଟଣ ପାଇଁ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରା ଭଳି ଏକ ବିଶ୍ୱସ୍ତରୀୟ ତଥା ପବିତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବାରମ୍ବାର ବିଭ୍ରାଟ ଓ ଭକ୍ତଙ୍କ ମୃତ୍ୟୁ ହେବା ଘଟଣାକୁ ସେ ସରକାରଙ୍କ ଖାମଖିଆଲି ନୀତିର ପରିଣାମ ବୋଲି ଅଭିହିତ କରିଛନ୍ତି।
ନବୀନ ପ୍ରଶ୍ନ କରିଛନ୍ତି ଯେ, ରଥଯାତ୍ରା ସମୟରେ ବାରମ୍ବାର ଏଭଳି ଅଘଟଣ ଘଟୁଛି କ'ଣ ପାଇଁ? ସରକାର ଏତେ ଖାମଖିଆଲି ଭାବେ କ'ଣ ପାଇଁ କାମ କରୁଛନ୍ତି? ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ସରକାର ଆଦୌ ଗୁରୁତ୍ୱର ସହ ଗ୍ରହଣ ନକରିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ନବୀନ ଏକ କଡ଼ା ବିବୃତ୍ତି ଜାରି କରି କହିଛନ୍ତି ।
ଅନୁଭବ ହେଉଛି ଅତୀତର ତ୍ରୁଟିରୁ ଶିଖିବାର ମନୋବୃତ୍ତି ଏହି ସରକାରର ନାହିଁ। ଗୋଟିଏ ପରେ ଗୋଟିଏ ଅଘଟଣ ପ୍ରତିବର୍ଷ ରଥଯାତ୍ରା ସମୟରେ ଘଟୁଛି, ଲୋକଙ୍କ ଜୀବନ ଯାଉଛି, ରାଜ୍ୟ ବଦନାମ ହେଉଛି କିନ୍ତୁ ସରକାରଙ୍କ କାର୍ଯ୍ୟଶୈଳୀରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ଭୁଲରୁ ଶିଖିବା ପରିବର୍ତ୍ତେ ସବୁକିଛି କାମଚଳା ନୀତିରେ କରାଗଲା ଭଳି ଅନୁଭବ ହେଉଛି। ଆଉ କେତେ ଅଘଟଣ ପରେ ସରକାର ସଚେତନ ହେବେ? ପ୍ରତି ବର୍ଷ ଏପରି ଘଟୁଥିବା ବେଳେ ସରକାର ଏଥିରୁ କିଛି ନଶିଖିବା ଆହୁରି ଦୁର୍ଭାଗ୍ୟଜନକ ନବୀନ କହିଛନ୍ତି ।
ସୁନାବେଶ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଘୋଷଯାତ୍ରାର ଦେବନୀତି କିଭଳି ବିନା କୌଣସି ବିଭ୍ରାଟରେ ଶେଷ ହେବ ସରକାର ସେଥିପ୍ରତି ବିଶେଷ ଯତ୍ନବାନ ହେବାସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଅକାଳରେ ପ୍ରାଣ ନହରାନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି ।