ବିଜେଡିରେ ବିଭାଜନ ଷଡ଼ଯନ୍ତ୍ର: ତିନି ମାସ ତଳୁ ସୁରାକ ପାଇଥିଲେ ନବୀନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ବିଜେଡିର ୨ ନିଲମ୍ବିତଙ୍କ ସହ ୮ ଓ କଂଗ୍ରେସର ୩ ଜଣ ବିଧାୟକଙ୍କ କ୍ରସ ଭୋଟିଂକୁ ନେଇ ଏବେ ରାଜ୍ୟରେ ଆଲୋଡ଼ନ। ଦତ୍ତେଶ୍ୱରଙ୍କ ସପକ୍ଷରେ ମତଦାନ ନିମନ୍ତେ ବିଜେଡି ଓ କଂଗ୍ରେସର ହ୍ୱିପ୍‌ ଉଲ୍ଲଂଘନ କରି ୧୧ ବିଧାୟକ ବାଡ଼ ଡେ଼ଇଁବା ଘଟଣାକୁ ନେଇ ଯିଏ ଯେତେ କାହାଣୀ କହିଲେ ମଧ୍ୟ ଏହା ପଛରେ ରହିଛି ଏକ ବଡ଼ ଷଡ଼ଯନ୍ତ୍ର। ୧୯୯୫ ମସିହାରେ ନିଜର ମହତ୍ୱାକାଂକ୍ଷା ପରିପୂରଣ ପାଇଁ ଯେଉଁ ବ୍ୟକ୍ତିମାନେ ଷଡ଼ଯନ୍ତ୍ରର ଜାଲ ବିଛାଇଥିଲେ, ୩ ଦଶନ୍ଧି ପରେ ୨୦୨୫ରେ ବି ଠିକ୍‌ ଅନୁରୂପ ଏକ ଷଡ଼ଯନ୍ତ୍ରର ଜାଲ ବୁଣା ଯାଇଥିିଲା। ଅନ୍ୟମାନଙ୍କ ଉପରେ ଆଖିବୁଜି ବିଶ୍ୱାସ କରୁଥିବା ବିଜୁ ସେତେବେଳେ ସେହି ଷଡ଼ଯନ୍ତ୍ରର ଶିକାର ହୋଇଥିଲେ; ମାତ୍ର ନିଜ ଦଳର ପ୍ରତ୍ୟେକ ନେତା ଓ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଘଟୁଥିବା ଘଟଣାକ୍ରମ ଉପରେ ତୀକ୍ଷ୍ମ ନଜର ରଖିଥିବା ନବୀନ ଆରମ୍ଭରୁ ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ପାଇଥିଲେ। ଜାନୁଆରୀ ୧୫ ତାରିଖରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳର ନିଲମ୍ବନ ଥିଲା ଏହାର ପ୍ରାଥମିକ ପ୍ରତିଫଳନ। 

ରାଜନୀତି ସହ ରୁଚି ରଖୁଥିବା ବ୍ୟକ୍ତିବିଶେଷ ଓ ସମୀକ୍ଷକମାନେ ସମ୍ଭବତଃ ୨୦୨୪ ଅକ୍ଟୋବର ଓ ନଭେମ୍ବର ମାସରେ ସାମାଜିକ ଗଣମାଧ୍ୟମରେ ଏକ ଚର୍ଚ୍ଚାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିବେ। ସେହି ଚର୍ଚ୍ଚାଟି ଥିଲା ବିଜେଡିକୁ ବିଜୟ ମହାପାତ୍ରଙ୍କ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତ। କୌଣସି ଭିତ୍ତିଭୂମି ଓ ପ୍ରାସଙ୍ଗିକତା ନ ଥାଇ ଏହି ଚର୍ଚ୍ଚାଟିକୁ ସାମାଜିକ ଗଣମାଧ୍ୟମରେ ପ୍ରତିରୋପଣ କରାଯାଇଥିଲା। ସେତେବେଳେ କ୍ଷମତା ହରାଇବାର ରୋଷ ଦଳର କର୍ମୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ରହିଥିଲା। ଏହାର ସୁଯୋଗ ନେବାକୁ ସେତେବେଳେ ଉଦ୍ୟମ ହୋଇଥିଲା ଓ ଦଳରୁ ବିଭିନ୍ନ ସମୟରେ ବହିଷ୍କୃତ ନେତାଙ୍କୁ ଏକାଠି କରି ବିଜେଡିକୁ ଦଖଲ ପାଇଁ ଯୋଜନା ହୋଇଥିଲା। ମାତ୍ର କୌଣସି କାରଣରୁ ଏହି ଯୋଜନା ଦାନା ବାନ୍ଧି ନ ଥିଲା। ମାତ୍ର ୨୦୨୫ ଅଗଷ୍ଟ ମାସରେ ନବୀନ ଚିକିତ୍ସା ପାଇଁ ମୁମ୍ବାଇ ଯିବା ସମୟରେ ପୁଣି ସେହି ଯୋଜନାକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯିବାକୁ ଉଦ୍ୟମ ଆରମ୍ଭ ହେଲା। ବିିଭିନ୍ନ ଅଭିଯୋଗ ଯୋଗୁଁ ୨୦୨୪ରେ ବିଜେଡି ଟିକଟରୁ ବଞ୍ଚିତ କିଛି ପୁରୁଖା ନେତାଙ୍କ ସହ ବିଜୟ ମହାପାତ୍ର ଯୋଗସୂତ୍ର ସ୍ଥାପନ କରିଥିଲେ । ଯାଜପୁର ଜିଲ୍ଲାର ଓଳାଶୁଣି ଗୁମ୍ଫାରେ କିଛି ପୁରୁଣା ନେତାଙ୍କ ବୈଠକରେ ଏ ସମ୍ପର୍କରେ ସମ୍ୟକ ଆଲୋଚନା ହୋଇଥିଲା । ଏପରିକି ବିଜେଡିର ଅସନ୍ତୁଷ୍ଟ ନେତାମାନଙ୍କ ସହ ଯୋଗାଯୋଗ ପାଇଁ ମଧ୍ୟ ଚେଷ୍ଟା କରାଯାଇଥିଲା । ମାତ୍ର ୨୦୨୫ ଡ଼ିସେମ୍ବରରେ କଂଗ୍ରେସରୁ ମହମ୍ମଦ ମୋକିମ୍‌ ବହିଷ୍କାର ପରେ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ଆରମ୍ଭ କରିବା ପାଇଁ ପଟ୍ଟ ପ୍ରସ୍ତୁତ କରିଥିଲା। ୧୫ ଡ଼ିସେମ୍ବରରେ ମୋକିମ୍‌ଙ୍କ ବହିଷ୍କାରର ୩ ଦିନ ପରେ ବିଜୟ ମହାପାତ୍ରଙ୍କ ବାସଭବନରେ ତାଙ୍କ ଉପସ୍ଥିତି ହିଁ ଅନେକ କିଛି ଘଟଣାକୁ ଇଙ୍ଗିତ କରିଥିଲା। ସେହି ସମୟରେ ବିଜୟ ମଧ୍ୟ ଏ ସମ୍ପର୍କରେ ଇସାରା ଦେଇଥିଲେ । ୨୦୨୬ରେ ଓଡ଼ିଶା ରାଜନୀତିରେ ଅନେକ ନୂଆ ଘଟଣା ଦେଖିବାକୁ ମିଳିବ ଓ ନୂଆ ଦଳ କିପରି ଗଠନ ହୁଏ ସେ ସମ୍ପର୍କରେ ମୋକିମ୍‌ ଜାଣିବାକୁ ଚାହୁଁଥିଲେ ବୋଲି ବିଜୟ ଦେଇଥିବା ଟିପ୍ପଣୀକୁ ବୋଧହୁଏ ସେତେବେଳେ ଅନେକ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ । ସେବେଠାରୁ ବିଜେଡି ଓ କଂଗ୍ରେସରେ ବିଭାଜନ ସହ ମୋକିମ୍‌ଙ୍କ ନୂଆ ଦଳର ଗଠନର ମୂଳଦୁଆ ପକାଇବା ଲକ୍ଷ୍ୟ ରଖାଯାଇଥିଲା। ଏପରିକି କଂଗ୍ରେସ ଓ ଜନତାକୁ ମିଶାଇ ମୋକିମ୍‌ ଓଡ଼ିଶା ଜନତା-କଂଗ୍ରେସ ଦଳ ଗଠନ ଘୋଷଣା କରିଥିଲେ। 

ତିନି ମାସ ତଳୁ ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପଙ୍କ ବିଜୟ ପଥ ପ୍ରସ୍ତୁତ କରାଯାଇଥିବା ବିଜୟ ଯାହା କହିଛନ୍ତି, ତାହା ଆଦୌ ମିଛ ନୁହେଁ । ବିଜୟ ଓ ତାଙ୍କ ସହଯୋଗୀମାନେ ୧୮ ଜଣ ବିଜେଡି ବିଧାୟକ ଓ  ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ।  ଡ଼ିସେମ୍ବର ଶେଷ ସପ୍ତାହରେ ନବୀନ ପଟ୍ଟନାୟକଙ୍କ ନିକଟରେ ଏ ସମ୍ପର୍କରେ ସବିଶେଷ ସୂଚନା ପହଞ୍ଚିଥିଲା। ମାତ୍ର ନବୀନ ଯେ ସେମାନଙ୍କ ଯୋଜନା ସମ୍ପର୍କରେ ସୂଚନା ପାଇବେ ସେ କଥା ବିଜୟ ମହାପାତ୍ର ଭାବି ନ ଥିଲେ । ବିଜୟ ଓ ତାଙ୍କ ସହଯୋଗୀମାନଙ୍କ ପରବର୍ତ୍ତୀ ପଦକ୍ଷେପକୁ ନବୀନ ଅପେକ୍ଷା କରିଥିଲେ । ଜାନୁଆରୀ ୧୫ ତାରିଖରେ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଥିଲେ। 

ଯେଉଁ କାରଣ ଥାଉ ନା କାହିଁକି ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ କେବେ ବି ବିଜେପି ପାଇଁ ପ୍ରଥମ ପସନ୍ଦ ନ ଥିଲେ ଏହା ସତ୍ୟ । ତେବେ ସଂଖ୍ୟା ଦୃଷ୍ଟିରୁ ନବୀନ କେବେ ବି ୪ର୍ଥ ଆସନ ପାଇଁ ପ୍ରାର୍ଥୀ ଦେବେ ନାହିଁ ; ଏହାର ସୁଯୋଗରେ ଦିଲ୍ଲୀପ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚିତ ହେବେ ବୋଲି ବିଜୟ ଓ ତାଙ୍କ ସହଯୋଗୀମାନେ ମନେ କରିଥିଲେ । ମାତ୍ର ନବୀନ ସମସ୍ତଙ୍କୁ ଚମକାଇ ଦେଇ ମିଳିତ ପ୍ରାର୍ଥୀ ଘୋଷଣା କରିବା ଓ କଂଗ୍ରେସ ମିଳିତ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଖେଳକୁ ବିଗିଡ଼ାଇ ଦେଇଥିଲା। ଏହାପରେ ବିଜେପି ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ହେଁ ଦିଲ୍ଲୀପଙ୍କୁ ପ୍ରାର୍ଥୀ କରି ନ ଥିଲା। ମାତ୍ର ଦିଲ୍ଲୀପ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଆଗ୍ରହ ପ୍ରକାଶ ପରେ ତାଙ୍କୁ ସମର୍ଥନ ଦେବାକୁ ବିଜେପି ଘୋଷଣା କରିଥିଲା। ଦିଲ୍ଲୀପଙ୍କୁ ବିଜେପି ସମର୍ଥନ କରୁଥିବାରୁ ତାଙ୍କ ସପକ୍ଷରେ ଭୋଟ ଦେଲେ ଇଡ଼ି ଓ ସିବିଆଇ ମାମଲାରୁ ସୁରକ୍ଷିତ ରହିବେ ବୋଲି ବିଶ୍ୱାଳ-ତ୍ରିପାଠୀ ଏଣ୍ଡ କୋଙ୍କୁ ବିଜୟ ବୁଝାଇବାକୁ ସକ୍ଷମ ହେଲେ । ମାତ୍ର  ଦୀର୍ଘଦିନ ଧରି ରହିବା ସତ୍ତ୍ୱେ ବିଜୟ ଓ ଦିଲ୍ଲୀପ ଯେଉଁ ଦଳର ପୂର୍ଣ୍ଣ ଆସ୍ଥାଭାଜନ ହୋଇ ପାରିଲେ ନାହିଁ; ସେହି ଦଳ ବିଶ୍ୱାଳ, ତ୍ରିପାଠୀଙ୍କ ପରି ନେତାଙ୍କୁ ଆଦର କରି କୋଳରେ ବସାଇବ ସେ କଥା ସେମାନେ ସମ୍ଭବତଃ ବୁଝି ନ ପାରିି ବିଜୟଙ୍କ ରାଜନୀତି ପଶାପାଲିର ଗୋଟି ହୋଇଗଲେ । 

ଯେଉଁ ଦିନଠାରୁ ନବୀନ ଏହାର ସୂଚନା ପାଇଲେ, ସେବେଠାରୁ ବିଜେପି ଘୋଡ଼ାବେପାର କରିବ ବୋଲି କହି ଆସୁଥିଲେ। ଥରେ ନୁହେଁ, ବାରମ୍ବାର ଏ କଥା ଦୋହରାଇଥିଲେ । ଦଳୀୟ ବିଧାୟକମାନଙ୍କୁ ନବୀନ ନିବାସକୁ ନିୟମିତ ଡ଼ାକି ଦଳୀୟ ଶୃଙ୍ଖଳା କଥା ବୁଝାଇଥିଲେ। ମାତ୍ର ନବ ମଲ୍ଲିକ, ରମାକାନ୍ତ ଭୋଇ, ଚକ୍ରମଣି କହଁର ଯେ ଦଳ ପିଠିରେ ଛୁରି ଭୁଷିବେ ଏ କଥା ନବୀନ ଓ ଦଳର ଅନ୍ୟ ନେତାଙ୍କ ପାଇଁ ଅକଳ୍ପନୀୟ ଥିଲା । ଏହା ସତ୍ତ୍ୱେ ମିଳିତ ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରଥମ ପସନ୍ଦ ଭୋଟ ସମାନ ରହିଲା । ରାଜ୍ୟସଭା ନିର୍ବାଚନ ଫଳ ପ୍ରକାଶ ଓ ଏହାପରେ ବିଜୟ ମହାପାତ୍ରଙ୍କ ୩ ମାସ ତଳର ଯୋଜନା ସଂକ୍ରାନ୍ତ ସ୍ୱୀକାରୋକ୍ତି ପରେ ଅରବିନ୍ଦଙ୍କ ନିଲମ୍ବନର କାରଣ ଆଉ କେହି ଖୋଜୁ ନାହାନ୍ତି । ମାତ୍ର ଏହାପରେ ରାଜ୍ୟରେ ଯେଉଁ ସମୀକରଣ ହେବ, ତାହା କ୍ରସ ଭୋଟିଂ କରିଥିବା ବିଧାୟକ ପାଇଁ ଭଲ ହେବ କି ମନ୍ଦ ହେବ; ତାହା କେବଳ ସମୟ କହିବ । 

About The Author: Madhusudan Das