ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏଥିସହ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାର ପୁନଃସମୀକ୍ଷା ଆବଶ୍ୟକ ବୋଲି କହିଲେ ନବୀନ । ନିର୍ବାଚନ ଆୟୋଗର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ଥିବା ନେଇ ଖବର ପ୍ରକାଶ ପାଇବା ପରେ ସେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପ୍ରକ୍ରିୟାର ପୁନର୍ବିଚାର କରିବାକୁ ଆହ୍ୱାନ ଦେଇଛନ୍ତି। ତୁରନ୍ତ ସିଇସିଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ । SIR କାର୍ଯ୍ୟକ୍ରମକୁ ବିଜେଡି ପ୍ରଥମରୁ ବିରୋଧ କରୁଛି ବୋଲି କହିବା ସହ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା କହିଛନ୍ତି ନବୀନ ।
ବିଧାନସଭା ବାହାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ, "ନିର୍ବାଚନ କମିଶନରମାନଙ୍କ ମଧ୍ୟରେ ତୀବ୍ର ମତଭେଦ ଥିବା କାରଣରୁ ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ନିଜ ପଦରୁ ଇସ୍ତଫା ଦେବା ଉଚିତ୍। ସମ୍ପୂର୍ଣ୍ଣ SIR ପ୍ରକ୍ରିୟା ଉପରେ ଟିକନିଖି ଭାବେ ପୁନଃସମୀକ୍ଷା କରାଯିବା ଆବଶ୍ୟକ। ବିଜେଡି ଆରମ୍ଭରୁ ହିଁ ଏହି ପ୍ରକ୍ରିୟାକୁ ବିରୋଧ କରିଆସୁଛି ଏବଂ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ଆମେ ଦୃଢ଼ତାର ସହ ଉଠାଇବୁ।"
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ ଦର୍ଶାଯାଇଥିଲା ଯେ, ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀ ଗତ ୧୦ ମାସ ମଧ୍ୟରେ ଆୟୋଗର ବିଭିନ୍ନ ନିଷ୍ପତ୍ତିକୁ ନେଇ ଅତିକମରେ ୧୪ ଥର ଆପତ୍ତି ଉଠାଇଛନ୍ତି। ଭୋଟର ପଞ୍ଜୀକରଣ, ନାମ ବାଦ୍ ଦେବା, ଫର୍ମ ୬ରେ ପରିବର୍ତ୍ତନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେମାନଙ୍କ ଅଜ୍ଞାତରେ କିମ୍ବା ବିନା ଅନୁମୋଦନରେ ନିଷ୍ପତ୍ତି ନିଆଯାଉଥିବା ସେମାନେ ଅଭିଯୋଗ କରିଥିଲେ। ଏହି ବିବାଦୀୟ SIR ପ୍ରକ୍ରିୟା ମାଧ୍ୟମରେ ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡ୍ରାଫ୍ଟ ତାଲିକାରୁ ପ୍ରାୟ ୧୩ କୋଟି ନାମ ହଟାଇ ଦିଆଯାଇଥିବା ଜଣାପଡିଛି।
ଅନ୍ୟପଟେ ନିର୍ବାଚନ ଆୟୋଗ ପ୍ରସଙ୍ଗ ବ୍ୟତୀତ MMDR ଆକ୍ଟକୁ ନେଇ ମଧ୍ୟ ନବୀନ ପଟ୍ଟନାୟକ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, "ଓଡ଼ିଶାର ୨୦ ଜଣ ବିଜେପି ଲୋକସଭା ସାଂସଦ ସଂସଦରେ ଏହି ବିଲକୁ ସମର୍ଥନ କରିଥିବାରୁ ଏଥିପାଇଁ ଅନ୍ୟମାନଙ୍କୁ ଦୋଷ ଦେବା କେତେ ଦୂର ଯୁକ୍ତିଯୁକ୍ତ? ଏହି ବିଲ୍ ଯୋଗୁଁ ରାଜ୍ୟକୁ ବିପୁଳ ରାଜସ୍ୱ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ବିଜେଡି ଏହି ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ତାର ସହ ଉଠାଇବ ଏବଂ ଏହା ଉପରେ ରୋକ ଲଗାଇ ସମୀକ୍ଷା କରିବାକୁ ଦାବି କରିବ।"