ଭୁବନେଶ୍ବର : ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ‘ଏକ୍ସ’ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ‘ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କଲି। ଏଥିସହ ତାଙ୍କୁ ଶୁଭେଚ୍ଛା ଜଣାଇଲି। ଓଡ଼ିଶାବାସୀଙ୍କ ସେବାରେ ତାଙ୍କ ନେତୃତ୍ୱ, ଦୃଢ଼ତା ଓ ଦକ୍ଷତାର ସହ କାର୍ଯ୍ୟ କରିବ ବୋଲି ମୋର ଆଶା ଓ ବିଶ୍ୱାସ।’
ସୂଚନାଯୋଗ୍ୟ ଆଜି ପୂର୍ବାହ୍ନରେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନ ନିବାସରେ ପହଞ୍ଚି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋହନ ମାଝୀ କହିଥିଲେ, ଶପଥ ସମାରୋହରେ ଯୋଗ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି। ସେ ନୂଆ ସରକାରକୁ ଆର୍ଶିବାଦ କରନ୍ତୁ ବୋଲି ଚାହୁଁଛି। ସେ ମଧ୍ୟ ଆମ ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଯଥା ସମୟରେ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।