ନବରଙ୍ଗପୁର: ଶବ ସତ୍କାର ପାଇଁ କଣ୍ଟା ସାଜିଛି ଧର୍ମ । ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ । ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋପେନା ପଂଚାୟତରେ ଅଣ୍ଡ୍ରି ଗାଁରେ। ଗାଁର ମାଣିକ ସାନ୍ତାଙ୍କର ସୋମବାର ସନ୍ଧ୍ୟାରୁ ମୃତ୍ୟୁ ହୋଇଥିଲେ ମଧ୍ୟ ହୋଇପାରୁନି ଶବ ସତ୍କାର। ସୂଚନା ଅନୁସାରେ, ମାଣିକ ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଟଙ୍କା ମୃତଦେହକୁ ସତ୍କାର ପାଇଁ ନିଜ ଗାଁରେ ଜାଗା ଦେଉନାହାନ୍ତି ଗାଁ ଲୋକେ । ଯଦି ହିନ୍ଦୁ ରୀତି ନୀତି ଅନୁଯାୟୀ ଶବକୁ ସତ୍କାର କରିବେ ତା ହେଲେ ସ୍ମଶାନରେ ଜାଗା ଦେବୁ ବୋଲି ଗ୍ରାମବାସୀ କହିଛନ୍ତି। ଘଟଣା ସ୍ଥଳରେ ଉମରକୋଟ ପୋଲିସ, ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝା ସୁଝା କରୁଥିବା ସୂଚନା ମିଳିଛି ।