ଭୁବନେଶ୍ୱର : ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରଦାର ହୋଇଛି। ଏହାସହିତ ହକି ବିଶ୍ୱକପ୍ ଉତ୍ସବ ପାଳନ ହେବାକୁ ଥିବା ଅନ୍ୟ ମହାନଗର ନିଗମଗୁଡ଼ିକରେ ମଧ୍ୟ ନବକଳେବର ହେଉଛି। ଏହି ସବୁ କାର୍ଯ୍ୟ ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଅଟକଳ ୭୫ କୋଟି ଟଙ୍କାକୁ ଅନୁମୋଦନ ମିଳିଛି। ମଙ୍ଗଳବାର ହକିବିଶ୍ୱକପ୍ ପାଇଁ ଚାଲିଥିବା କାମର ସମୀକ୍ଷା କରିବା ସହ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିରେ ଏ ସଂକ୍ରାନ୍ତ ଆଲୋଚନା ହୋଇଛି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ‘୫-ଟି’ ସଚିବ (୫ଟି) ଭିକେ ପାଣ୍ଡିଆନ୍, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କି ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଆସନ୍ତା ହକି ବିଶ୍ୱକପ୍କୁ ରାଜ୍ୟବାସୀଙ୍କ ପାଇଁ ସ୍ମରଣୀୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ବୈଠକରେ ଷ୍ଟାଡିୟମ ପ୍ରସ୍ତୁତି, ଗମନାଗମନ, ଆତିଥେୟତା, ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ଏବଂ ଭିଡ଼ ପରିଚାଳନା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବିଶ୍ୱକପ୍ ଓ ସିଟି ଫେଷ୍ଟିଭାଲ ଆୟୋଜନ ସହିତ ଡାକ୍ତରୀ ବ୍ୟବସ୍ଥା ଆଦି ବିଷୟରେ ମଧ୍ୟ ଅଧିକାରୀମାନେ ନିଜ ବିଭାଗର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପଡ଼ିଥିବା ୪ ଟି ଟର୍ଫକୁ ହକି ଇଣ୍ଡିଆ ସ୍ୱୀକୃତି ଦେଇସାରିଛି। ଏହାସହିତ ଲାଇଟିଂ ବ୍ୟବସ୍ଥାକୁ ମଧ୍ୟ ସଂସ୍ଥା ପକ୍ଷରୁ ତଦାରଖ କରାଯାଇ ସାରିଛି।
ଭୁବନେଶ୍ୱର ଓ ରାଉରକେଲାରେ ଖେଳାଳିମାନଙ୍କୁ ଉପଲବ୍ଧ କରାଯିବାକୁ ଥିବା ସେବା ସମ୍ପର୍କରେ ସମୀକ୍ଷା ହୋଇଥିବା ବେଳେ ଭୁବନେଶ୍ୱରରୁ ରାଉରକେଲା ଯିବା ପାଇଁ ଟିମ୍ଗୁଡ଼ିକୁ ବିମାନ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ସହିତ ରାଉରକେଲାକୁ ଖୁବଶୀଘ୍ର ବିମାନ ଚଳାଚଳ କରିବ ବୋଲି ଏହି ବୈଠକରେ କୁହାଯାଇଛି। ଜାନୁଆରୀ ମାସରୁ ରାଉରକେଲାରେ ମୋ ବସ୍ ସେବା ଆରମ୍ଭ ହେବାକୁ ଥିବା ବେଳେ ମ୍ୟାଚ୍ ବେଳେ ଦର୍ଶକମାନଙ୍କୁ ମୋ ବସରେ ମାଗଣା ଯାତ୍ରା କରିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। କଟକରେ ଜାନୁଆରୀ ୧୧ରେ ହକି ବିଶ୍ୱକପ୍ ଉତ୍ସବ ପାଳନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଉଥିବା ବୈଠକରେ କୁହାଯାଇଛି।
ଅନ୍ୟପଟେ ବୈଠକରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ହକି ବିଶ୍ୱକପ୍ ଉତ୍ସବକୁ ରାଜ୍ୟର ସମସ୍ତ ଜିଲ୍ଲାରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି। ଏଥିରେ ସମସ୍ତ ଗୋଷ୍ଠୀ ଓ ସ୍କୁଲ୍ କଲେଜର ଛାତ୍ରଛାତ୍ରୀମାନଙ୍କୁ ଅଂଶଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଜିଲ୍ଲା ଏଥିରେ ଉନ୍ନତ ପ୍ରଦର୍ଶନ କରିବ ସମ୍ପୃକ୍ତ ଜିଲ୍ଲାକୁ ପୁରସ୍କୃତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ରାଜ୍ୟର ସମସ୍ତ ଜିଲ୍ଲାରେ ହକି ବିଶ୍ୱକପ୍ ଟ୍ରଫି ଭ୍ରମଣ କରାଯିବ ଏଥିପାଇଁ ସହର ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଉତ୍ସବ ପାଳନ କରିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଜାରି ରହିଥିବା ସୌନ୍ଦର୍ଯ୍ୟକରଣ ଓ ଅନ୍ୟ କାମ ତୁରନ୍ତ ଶେଷ କରିବାକୁ ବୈଠକରେ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଛନ୍ତି।