ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ନାବାଳିକାକୁ ରାଜଧାନୀରୁ ଅପହରଣ କରି ଯାଜପୁର ନେଇଯାଇଛି। ଖାଲି ଅପହରଣ କରିନାହିଁ, ବରଂ ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଛି। ଦୀର୍ଘ ୧୯ ଦିନ ପରେ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ଇନଫୋସିଟି ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ବଡ଼ ରାଇପଦାର ନିରଞ୍ଜନ ମଲ୍ଲିକ (୨୧)।
ପୁଲିସ ସୂଚନାନୁଯାୟୀ, ଜଣେ ୧୭ ବର୍ଷୀୟା ନାବାଳିକା ପରିବାର ସହ ଇନଫୋସିଟି ଥାନା ଅଞ୍ଚଳରେ ରୁହନ୍ତି। କିଛି ମାସ ତଳେ କେରଳର ଏକ ବେସରକାରୀ କମ୍ପାନୀରେ ଚାକିରି କରିଥିବା ଯାଜପୁରର ନିରଞ୍ଜନ ସହ ଇନଷ୍ଟାଗ୍ରାମ ଜରିଆରେ ତାଙ୍କର ପରିଚୟ ହୋଇଥିଲା। ସେବେଠାରୁ ଉଭୟ ଯୋଗାଯୋଗରେ ଥିଲେ। ଗତମାସ ୨୨ ତାରିଖ ପୂର୍ବାହ୍ନରେ ନିରଞ୍ଜନ ନାବାଳିକାକୁ ଅପହରଣ କରି ନେଇଥିଲା। ଅପହରଣ ପରେ ପ୍ରଥମେ କଟକ ଓ ପରେ ଯାଜପୁର ସ୍ଥିତ ନିଜ ଘରକୁ ନେଇ ଯାଇଥିଲା। ସେଠାରେ ନାବାଳିକାକୁ ଘରେ ବନ୍ଦୀ କରି ରଖି ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ବିରୋଧ କରିଥିଲେ ମଧ୍ୟ ନିରଞ୍ଜନ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲା। ଖସି ଆସିବାକୁ ଉଦ୍ୟମ କରିଥିଲେ ମଧ୍ୟ ନାବାଳିକା ବିଫଳ ହୋଇଥିଲେ। ଏପଟେ ନାବାଳିକାର ଭଉଣୀ ଏନେଇ ଇନଫୋସିଟି ଥାନାରେ ଏତଲା ଦେବାପରେ ପୁଲିସ ନିଖୋଜ ମାମଲା ରୁଜୁ କରିଥିଲା।
ସୋମବାର ଇନଫୋସିଟି ଥାନା ପୁଲିସ ଓ ବ୍ରହ୍ମବରଦା ଥାନା ପୁଲିସ ମିଳିତ ଭାବେ ବଡ଼ ରାଇପଦାରେ ଚଢ଼ଉ କରିଥିଲା। ସେଠାରୁ ନାବାଳିକାକୁ ଉଦ୍ଧାର କରିବା ସହ ନିରଞ୍ଜନକୁ ଉଠାଇ ଆଣିଥିଲା। ଉଭୟଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଥିଲା। ନାବାଳିକା ଜଣକ ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ନିଜ ବୟାନରେ କହିଥିଲେ। ଆରମ୍ଭରୁ ଅପହରଣ ମାମଲା ରୁଜୁ କରିଥିଲା ପୁଲିସ ନାବାଳିକାର ବୟାନ ପରେ ଦୁଷ୍କର୍ମ ଦଫା ଯୋଡ଼ିଥିଲା। ମଙ୍ଗଳବାର ଅଭିଯୁକ୍ତ ନିରଞ୍ଜନକୁ କୋର୍ଟ ଚାଲାଣ କରିଛି ପୁଲିସ।