କଳିଙ୍ଗ ଷ୍ଟାଡିୟମ୍‌‌ରେ ଖୋଲିବ ‘ମିଲେଟ୍‌‌ ଶକ୍ତି’, ଆଉଟ୍‌‌ଲେଟ୍‌‌ରୁ ଖେଳାଳି ଓ ଦର୍ଶକ ନେବେ ମିଲେଟ୍‌‌ ଫୁଡ୍‌‌ର ମଜା

ଭୁବନେଶ୍ୱର : ସାରା ସହର ଏବେ ହକିମୁଖର। ବିଶ୍ୱକପ୍‌‌ ହକି ପାଇଁ ଦେଶବିଦେଶରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେବ। ଆଗକୁ ହକି ବିଶ୍ୱକପ୍‌‌ ଆସୁଥିବାରୁ ଖେଳାଳିଙ୍କ ଫୁଡ଼୍‌‌ ମେନୁରେ ମିଲେଟ୍‌‌ଜାତୀୟ ଖାଦ୍ୟ ରହିବ। ଏହାସହିତ ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍‌‌କୁ ସାମିଲ କରିବା ସହ ମିଲେଟ୍‌‌ର ପ୍ରଚାରପ୍ରସାର କରାଯିବ। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଳି ଓ ଦର୍ଶକଙ୍କ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଆରମ୍ଭ ହେବ ‘ମିଲେଟ୍‌‌ ଶକ୍ତି ଆଉଟ୍‌‌ଲେଟ୍‌‌’। ହକି ବିଶ୍ୱକପ୍‌‌ର ପ୍ରଚାରପ୍ରସାର ପାଇଁ […]

ଭୁବନେଶ୍ୱର : ସାରା ସହର ଏବେ ହକିମୁଖର। ବିଶ୍ୱକପ୍‌‌ ହକି ପାଇଁ ଦେଶବିଦେଶରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେବ। ଆଗକୁ ହକି ବିଶ୍ୱକପ୍‌‌ ଆସୁଥିବାରୁ ଖେଳାଳିଙ୍କ ଫୁଡ଼୍‌‌ ମେନୁରେ ମିଲେଟ୍‌‌ଜାତୀୟ ଖାଦ୍ୟ ରହିବ। ଏହାସହିତ ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍‌‌କୁ ସାମିଲ କରିବା ସହ ମିଲେଟ୍‌‌ର ପ୍ରଚାରପ୍ରସାର କରାଯିବ। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଳି ଓ ଦର୍ଶକଙ୍କ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଆରମ୍ଭ ହେବ ‘ମିଲେଟ୍‌‌ ଶକ୍ତି ଆଉଟ୍‌‌ଲେଟ୍‌‌’। ହକି ବିଶ୍ୱକପ୍‌‌ର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ ମିଶନ ସହଯୋଗ କରୁଛି।

କେବଳ ହକି ନୁହେଁ, ସବୁ କାର୍ଯ୍ୟକ୍ରମରେ ମିଲେଟ୍‌‌ ଖାଦ୍ୟ ପରଷାଯିବ ଏବଂ ଭାରତରେ ଓଡ଼ିଶା ମିଲେଟ୍‌‌ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏଥିପାଇଁ ସ୍ୱତନ୍ତ୍ରଭାବେ ଆଉଟ୍‌‌ଲେଟ୍‌‌ ତିଆରି କରାଯାଇଛି। ଏହି ଆଉଟ୍‌‌ଲେଟ୍‌‌ର ଦାୟିତ୍ୱ ନେବେ ୱାର୍ଡ ନମ୍ବର ୩୭ ଅଧୀନରେ ଥିବା ସ୍ୱୟଂଶ୍ରଦ୍ଧା ମହାସଂଘର ମହିଳା ସଦସ୍ୟ। ମହିଳାମାନେ ଷ୍ଟାଡିୟମ୍‌‌କୁ ଆସୁଥିବା ଖେଳାଳି ଓ ପର୍ଯ୍ୟଟକଙ୍କ ପାଇଁ ମିଲେଟ୍‌‌ରୁ ପ୍ରସ୍ତୁତ ବିଭିନ୍ନ ଗରମାଗରମ୍‌‌ ଖାଦ୍ୟ ସାମଗ୍ରୀ ସାଙ୍ଗକୁ କେକ୍‌‌ , ପିଠା ଓ ଶୁଖିଲା ଖାଦ୍ୟ ପରସିବେ। ଏହାସହିତ ସକାଳ ଖାଦ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ବରା, ଦୋସା, ପିଠା ଆଦି ପ୍ରସ୍ତୁତ କରି ବିକ୍ରି କରିବେ। ହକି ସମୟରେ ଯେପରି ଅଧିକ ସଂଖ୍ୟକ ଲୋକଙ୍କୁ ମିଲେଟ୍‌‌ ଫୁଡ୍‌‌ ପ୍ରତି ଆକୃଷ୍ଟ କରାଯାଇପାରିବ, ସେଥିପାଇଁ ମେନ୍ୟୁ ଚାର୍ଟରେ ମାଣ୍ଡିଆ, ଯଅ, ସୁଆଁ, ବାଜରାରୁ ପ୍ରସ୍ତୁତ ସୁସ୍ୱାଦୁ ଓ ପୁଷ୍ଟକର ଖାଦ୍ୟ ସାମିଲ କରାଯିବ। ମହିଳା ସଦସ୍ୟମାନେ ଷ୍ଟଲ ନିକଟରେ କେବଳ କିଛି ପରିମାଣର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବେ। ଏଥିପାଇଁ ସ୍ୱତନ୍ତ୍ର ରୋଷେଇଶାଳାର ବ୍ୟବସ୍ଥା କରାଯିବ।

ହକି ବିଶ୍ୱକପ୍‌‌ ପୂର୍ବରୁ ଆସନ୍ତା ୧୦ତାରିଖରେ ଏହି ମିଲେଟ୍‌‌ ଆଉଟ୍‌‌ଲେଟ୍‌‌କୁ ଉଦ୍‌‌ଘାଟନ କରାଯିବାର ଯୋଜନା ରହିଛି। ଏହି ମିଲେଟ୍‌‌ ଆଉଟ୍‌‌ଲେଟ୍‌‌ରେ ଖାଦ୍ୟପ୍ରସ୍ତୁତ କରି ବିକ୍ରି କରିବା ପାଇଁ ଏସ୍‌‌ଏଚ୍‌‌ଜି ସଦସ୍ୟାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଏଥିରେ ମେନ୍ୟୁରେ ମିଲେଟ୍‌‌ ହଲୱା, ମିଲେଟ୍‌‌ କେକ୍‌‌, ଲଡ଼ୁ, ଚିକେନ୍‌‌ ପକୋଡ଼ା, ଉପମା, ଇଡଲି, ମାଲପୁଆ ଆଦି ରହିବ। ଏହି ଆଉଟ୍‌‌ଲେଟ୍‌‌ ସକାଳ ୭ଟାରୁ ରାତି ପର୍ଯ୍ୟନ୍ତ ଖୋଲାରହିବ। ମିଳିତ ଜାତିସଂଘ ପକ୍ଷରୁ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌‌ ବର୍ଷ ବା ମାଣ୍ଡିଆ ବର୍ଷ ଭାବେ ଘୋଷଣା କରାଯାଇଥିବାବେଳେ ମାଣ୍ଡିଆର ପ୍ରଚାରପ୍ରସାର ପାଇଁ ପଦକ୍ଷେପ ନିଆଯାଉଛି। କୃଷିଭବନରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଓଡ଼ିଶା ମିଲେଟ୍‌‌ ମିଶନ ପକ୍ଷରୁ ପ୍ରଥମ ମିଲେଟ୍‌‌ ଆଉଟ୍‌‌ଲେଟ୍‌‌ କରାଯାଇଥିବା ବେଳେ କଳିଙ୍ଗଷ୍ଟାଡିୟମରେ ୨ୟ ଆଉଟ୍‌‌ଲେଟ୍‌‌ କରାଯିବ।

ସହରାଞ୍ଚଳରେ ମିଲେଟ୍‌‌ର ବ୍ୟାପକ ପ୍ରଚାର ଓ ଜନସେଚତନତା ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମାଣ୍ଡିଆରୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଏହାର ବିକ୍ରୟ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରି ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବାପାଇଁ ବିଶେଷ ଲକ୍ଷ୍ୟ ରଖାଯାଇଛି। ଫଳରେ ବର୍ଷତମାମ ମିଲେଟ୍‌‌ ଖାଦ୍ୟ ବିକ୍ରିବଟାର ସୁଯୋଗ ମିଳିବା ସହ ଖାଦ୍ୟର ପ୍ରଚାରପ୍ରସାର ହେବ। ଏହାସହିତ ହକି ପାଇଁ ମିଲେଟ୍‌‌ ଷ୍ଟଲର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

About The Author: The Sakala