ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହାତୀପଲ, ଆକ୍ରମଣରେ ଯୁବକ ମୃତ; ଅଞ୍ଚଳରେ ଆତଙ୍କ

ବାରିପଦା: ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଥିବା ହାତୀପଲଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବାଦାମପାହାଡ଼ ଥାନା ଅନ୍ତର୍ଗତ ତିମତିମା ଗ୍ରାମର ରାମଚନ୍ଦ୍ର ସିର୍କା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ବାଦାମପାହାଡ଼ ଅଞ୍ଚଳରେ ପଶି ଉପଦ୍ରବ ଚଳାଇଥିଲେ। ହାତୀପଲକୁ ଘର ନିକଟରୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ରାମଚନ୍ଦ୍ର ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଏକ ଦନ୍ତାହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଝାଡ଼ଖଣ୍ଡ ଅଞ୍ଚଳରୁ ଆସିଥିବା ଏହି ହାତୀପଲ ବିଭିନ୍ନ ସ୍ଥାନରେ ଭାଗ ଭାଗ ହୋଇ ରହିଥିବାରୁ ସନ୍ଧ୍ୟା ହେଲେ ଜନବସତି ମୁହାଁ ହେଉଛନ୍ତି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ରାଇରଙ୍ଗପୁର ବନ ବିଭାଗ ଟିମ୍ ହାତୀମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ସେମାନଙ୍କୁ ଜନବସତିଠାରୁ ଦୂରକୁ ଘଉଡ଼ାଇବା ପାଇଁ ନିୟମିତ ପ୍ରୟାସ ଜାରି ରଖିଥିବା ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର ସୂଚନା ଦେଇଛନ୍ତି।

About The Author: Madhusudan Das