ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ବାରିପଦା: ବାରିପଦା ସଦରଥାନା ଅଧୀନ ବରଜପୁର ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜନ୍ମକଲା ନିଜ ମା'ଙ୍କୁ ତଣ୍ଟି ଚିପି ପିଶାଚ ପୁଅ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ କୁଇଁଆ ସିଂ(୧୯) । ମୃତା ମା' ଜଣଙ୍କ ହେଲେ ଶ୍ରୀମତୀ ସିଂ ।

ଶ୍ରୀମତୀଙ୍କ ସ୍ବାମୀଙ୍କ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ୪ପୁଅ ଓ ୨ଝିଅକୁ ନେଇ ସଂସାର । ଝିଅ ଦୁଇ ଜଣ ବିବାହିତ । ଶ୍ରୀମତୀ ଓ ୪ପୁଅ ଚେନ୍ନାଇରେ କାମ କରନ୍ତି।  ନିକଟରେ ଶ୍ରୀମତୀ ଓ ଦ୍ବିତୀୟ ପୁଅ କୁଇଁଆ ଗାଁକୁ ଆସିଥିଲେ । ଗୁରୁବାର ରାତିରେ ମା'-ପୁଅ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏଥିରେ ସମ୍ଭବତଃ ପୁଅ ମା'ଙ୍କ ବେକ ବା ତଣ୍ଟି ଚିପି ଦେବାରୁ ସେ ସେହିଠାରେ ଟଳି ପଡିଥିଲେ । ସକାଳେ ପଡୋଶୀ ଲୋକ ଖବର ପାଇ ପୁଲିସକୁ ସୂଚନା ଦେବାରୁ ବାରିପଦା ସଦର ଏସଡିପିଓ ପ୍ରଭାତ ମଲ୍ଲିକ ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ପୁଅ କୁଇଁଆକୁ ଗିରଫ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

About The Author: Madhusudan Das