ରାଷ୍ଟ୍ରପତିଙ୍କ ସହ ମିଶି ଆଦିବାସୀଙ୍କ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ମୟୂରଭଞ୍ଜ: ଆଦିବାସୀଙ୍କ ଧର୍ମପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କ ସହ ମିଶି ଆଦିବାସୀଙ୍କ ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀଙ୍କ ପବିତ୍ର ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ନିଜ ଅଞ୍ଚଳରେ ଏହି ଗସ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଏବଂ ଐତିହାସିକ ମୁହୂର୍ତ୍ତ ଭାବରେ ବିବେଚନା କରାଯାଉଛି। 

ପୂର୍ବରୁ ଗାଁରେ ଉପସ୍ଥିତ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଥାନୀୟ ବାସିନ୍ଦା ପାରମ୍ପରିକ ବାଦ୍ୟଯନ୍ତ୍ର, ଫୁଲ ଏବଂ ଆଦିବାସୀ ନୃତ୍ୟ ମାଧ୍ୟମରେ ସ୍ୱାଗତ କରିଥିଲେ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଗଣମାଧ୍ୟମ ଠାରୁ ଦୂରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉଭୟ ନେତା ରୀତିନୀତିରେ ଅଂଶଗ୍ରହଣ କରିବା ସହ ବୃକ୍ଷରୋପଣ ମଧ୍ୟ କରିଥିଲେ। ସାନ୍ତାଳୀ ବିଦ୍ୱାନ ଦମୟନ୍ତୀ ବେଶ୍ରାଙ୍କ ଅନୁଯାୟୀ, ଜାହେରା ହେଉଛି ଆଦିବାସୀ ଦେବଦେବୀଙ୍କ ପୂଜା ସ୍ଥଳ ଏବଂ ଗୋସାଣୀ ପୀଠ ପିତୃପୁରୁଷଙ୍କ ପ୍ରାର୍ଥନା ସହ ଜଡ଼ିତ।

ଏହାପରେ ସେମାନେ ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁ ଏବଂ ଦୁଇ ପୁଅଙ୍କ ସ୍ମୃତିରେ ପ୍ରତିଷ୍ଠିତ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଦ୍ୟାଳୟ ଏବଂ ପାହାଡ଼ପୁରର ଦକ୍ଷତା ବିକାଶ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ସେମାନେ ଆଦିବାସୀ ଉତ୍ପାଦର ଏକ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଥିଲେ।

About The Author: Madhusudan Das